ଯୌନ କେଳେଙ୍କାରୀ ଗୁମର ଫିଟୁଛି:

କ୍ଷମା ମାଗିଲେ ରଜତ କପୁର ଫୋନ୍‌ରେ ଅଶ୍ଳୀଳ ଇଙ୍ଗିତ ଦେଇଥିଲେ କମେଡି ଗ୍ରୁପ୍ ଏଆଇବିରେ ବି କେଳେଙ୍କାରୀ

ମୁମ୍ବାଇ: ବି-ଟାଉନ୍‌ରେ ଏବେ ଯୌନ କେଳେଙ୍କାରୀ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ନିଜ ସାମର୍ଥ୍ୟ ଓ ବ୍ୟକ୍ତିତ୍ବ ପାଇଁ ଅନେକ ପ୍ରଶଂସକଙ୍କ ମନ ଜିଣିଥିବା ସେଲିବ୍ରିଟିମାନଙ୍କ ଯୌନ କେଳେଙ୍କାରୀ ଗୁମର ଖୋଲିବାରେ ଲାଗିଛି। ନିଜ ଉତ୍କୃଷ୍ଟ ସଂଳାପ ପାଇଁ ବଡ଼ ପରଦାରେ ଅନେକ ଲୋକଙ୍କ ହୃଦୟ ଜିଣିଥିବା ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ‘#ମି’ଠୁ’ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ଏହି ଆନ୍ଦୋଳନରେ ସାମିଲ ହୋଇ ଅଭିନେତ୍ରୀ, ଟିଭି କଳାକାର ଓ ସାମ୍ବାଦିକାମାନେ ସେମାନଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡ଼ନ ସଂପର୍କରେ ମୁହଁ ଖୋଲୁଛନ୍ତି। ଏବେ ବଲିଉଡ୍‌ ଜଗତର ଖ୍ୟାତନାମା ଅଭିନେତା ତଥା ନିର୍ଦ୍ଦେଶକ ରଜତ୍‌ କପୁରଙ୍କ ବିରୋଧରେ ‌େଯୗନ କେଳେଙ୍କାରୀ ଅଭିଯୋଗ ଆସିଛି। ଏଥିପାଇଁ ସେ ସୋସିଆଲ୍‌ ମିଡିଆରେ କ୍ଷମା ମଧ୍ୟ ମାଗିସାରିଲେଣି। ଅଭିନେତା ତଥା ନିର୍ଦ୍ଦେଶକ ରଜତ୍ କପୁର ଦୁଇଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଏ କଥା ସେ ସ୍ବୀକାର ମଧ୍ୟ କରିଛନ୍ତି। ଟ୍ବିଟର୍‌ରେ ସେ ନିଜ ଦୋଷ ସ୍ବୀକାର କରିବା ସହିତ ମହିଳାଦ୍ବୟଙ୍କୁ କ୍ଷମା ମାଗିଛନ୍ତି। ସାମ୍ବାଦିକା ସନ୍ଧ୍ୟା ମେନନ୍‌ଙ୍କୁ ସେ ଯୌନ ନିର୍ଯାତନା ଦେଇଛନ୍ତି। ଏ କଥା ସନ୍ଧ୍ୟା ‘#ମି’ଠୁ’ ଅଭିଯାନରେ ସାମିଲ ହୋଇ ପ୍ରକାଶ କରିଛନ୍ତି। ଏମିତି କି ସନ୍ଧ୍ୟା ନିଜ ଉପରେ ଏବଂ ଅନ୍ୟ କିଛି ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନା ବିଷୟ ବି ଉଲ୍ଲେଖ କରିଛନ୍ତି। ଜଣେ ସାମ୍ବାଦିକା ରଜତ୍‌ଙ୍କ ସହ ହୋଇଥିବା ଏକ ଟେଲିଫୋନି ସାକ୍ଷାତକାରର ଅଡିଓ ବାର୍ତ୍ତାଳାପକୁ ପୋଷ୍ଟ କରିଛନ୍ତି। ଏ ନେଇ ରଜତ୍ ଟ୍ବିଟର୍‌ରେ କହିଛନ୍ତି, ଜୀବନରେ ମୁଁ ସର୍ବଦା ଜଣେ ଭଦ୍ରୋଚିତ ବ୍ୟକ୍ତି ହେବାକୁ ଚେଷ୍ଟା କରିଆସିଛି। ସବୁବେଳେ ଠିକ୍ କାର୍ଯ୍ୟ କରିବାକୁ ଉଦ୍ୟମ କରିଛି। ଯଦି ମୋ ମୁହଁରୁ ଖରାପ ଶବ୍ଦ ବାହାରିଥାଏ, ତେବେ ମୁଁ ଦୁଃଖିତ। କଙ୍ଗନା ରାଣାୱତ୍‌ଙ୍କ ପରେ ନିର୍ଦ୍ଦେଶକ ବିକାଶ ବହଲ୍‌ଙ୍କ ବିରୋଧରେ ଆଜି ‘କୁଇନ୍‌’ ଷ୍ଟାର୍ ନୟନୀ ଦୀକ୍ଷିତ୍‌ ମଧ୍ୟ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କମେଡି ଗ୍ରୁପ୍ ‘ଏଆଇବି’ରେ ମଧ୍ୟ ଯୌନ ନିର୍ଯାତନା ଘଟଣା ଦେଖିବାକୁ ମିଳିଛି।

ଗଣମାଧ୍ୟମ‌ ବି ବାଦ୍‌ ପଡ଼ିନି
ଅନ୍ୟପକ୍ଷରେ କେବଳ ବଲିଉଡ୍‌ ଶିଳ୍ପରେ ଏହି କେଳେଙ୍କାରୀ ସୀମିତ ହୋଇ ରହିନାହିଁ। ଗଣମାଧ୍ୟମରେ କାର୍ଯ୍ୟ କରୁଥିବା କିଛି ଆଗଧାଡ଼ିର ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଏଭଳି ସଙ୍ଗିନ ଅଭିଯୋଗ ଆସିଛି। ସାମ୍ବାଦିକା ଅବନ୍ତିକା ମେହଟ୍ଟା ପୂର୍ବରୁ ହିନ୍ଦୁସ୍ତାନ ଟାଇମ୍ସର ନ୍ୟାସ୍‌ନାଲ୍‌ ପଲିଟିକାଲ୍‌ ଏଡିଟର୍ ପ୍ରଶାନ୍ତ କେ ଝାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହି ଖବରକାଗଜରେ ପୂର୍ବରୁ କାମ କରୁଥିବା ଅବନ୍ତିକାଙ୍କୁ ଝା ମେସେଜ୍ ପଠାଇ ଯୌନ ଉତ୍ପୀଡ଼ନ ଦେଉଥିଲେ। ଏହାପରେ ଅତିଷ୍ଠ ହୋଇ ୨୦୧୬ରେ ଅବନ୍ତିକା ଚାକିରି ଛାଡ଼ିଦେଇଥିଲେ। ନିକଟରେ ସେ ଏହି ବିଷୟ ‘ମିଟୁ’ ଦ୍ବାରା ଲୋକଲୋଚନକୁ ଆଣିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ମ୍ୟାନେଜ୍‌ମେଣ୍ଟ ଦର୍ଶାଇଛି ଯେ ଝାଙ୍କ ବିରୋଧରେ ତଦନ୍ତ ହେବ। ସାମ୍ବାଦିକା ସନ୍ଧ୍ୟା ମେନନ୍ ଡିଏନ୍‌ଏ ଖବରକାଗଜ ପୂର୍ବତନ ଏଡିଟର୍‌-ଇନ୍‌-ଚିଫ୍‌ ଗୌତମ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର