ନୂଆଦିଲ୍ଲୀ: ବିମାନ ସଂସ୍ଥା ଗୁଡ଼ିକୁ ଯେଉଁ ମିଥ୍ୟା ବୋମା ଧମକ ଦେଇ ଭୟ ସୃଷ୍ଟି କରାଯାଉଛି ତାକୁ ଧର୍ତ୍ତବ୍ୟ ଅପରାଧ କରାଯିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ ଆଜି ଏହି ଘୋଷଣା କରିଛନ୍ତି। ସପ୍ତାହକ ମଧ୍ୟରେ ୧୦୦ରୁ ଅଧିକ ବିମାନକୁ ବୋମା ଧମକ ମିଳିବାପରେ ମନ୍ତ୍ରୀ ଶ୍ରୀ ନାଇଡ଼ୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଏଥିପାଇଁ ୨ଟି ବେସାମରିକ ବିମାନ ସୁରକ୍ଷା ଆଇନରେ ସଂଶୋଧନ କରାଯିବ, ମିଥ୍ୟା ଧମକ ଦେଉଥିବା ବ୍ୟକ୍ତିକୁ ‘ନୋ ଫ୍ଲାଇଂ ଲିଷ୍ଟ୍’ରେ ରଖାଯିବ। ଆଇନରେ ସଂେଶାଧନ ପାଇଁ ରଖାଯାଇଥିବା ପ୍ରସ୍ତାବ ମୁତାବକ, ମିଥ୍ୟା ବୋମା ଧମକ ଅଭିଯୋଗରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାକୁ ସର୍ବନିମ୍ନ ୫ ବର୍ଷ ଜେଲ୍ ଦଣ୍ଡ ଦେବାପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସୁପାରିସ କରିଛି।
କୋଚି ବିମାନବନ୍ଦରରେ ଯାତ୍ରୀ ଅଟକ
ନୂଆଦିଲ୍ଲୀ: କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଛ ବୋମା ଧମକ ଦେଇ ଜଣେ ଯାତ୍ରୀ ଆଜି ଅଟକ ରହିଛନ୍ତି। କୋଚି ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁଯାୟୀ ମୁମ୍ବାଇ ଅଭିମୁଖେ ଉଡ଼ାଣ କରିବାକୁ ଯାଉଥିବା ଜଣେ ଯାତ୍ରୀ ଆଜି ଭିସ୍ତାରା ବିମାନରେ ଚେକିଂ ସମୟରେ ଅତ୍ୟନ୍ତ ବେପରୁଆ ଭାବେ କହିଥିଲେ, ମୋ ପାଖରେ ବୋମା ଅଛି। ଯାତ୍ରୀଙ୍କ ନାଁ ବିଜୟ ଏମ୍। ଏହାପରେ ତାଙ୍କ ବ୍ୟାଗ୍ ଯାଞ୍ଚ କରାଯାଇଥିଲା ଏବଂ କିଛି ମିଳିନଥିଲା। ବିମାନଟି ଅପରାହ୍ନ ୩ଟା ୫୦ରେ ଉଡ଼ାଣ କରିବାର ଥିଲା। କିନ୍ତୁ ସମ୍ପୃକ୍ତ ଯାତ୍ରୀଙ୍କର ବୋମା ଟିପ୍ପଣୀ ପରେ ବିମାନ ୪ଟା ୨୦ରେ ଉଡ଼ାଣ କରିଥିଲା। କିନ୍ତୁ ସଂପୃକ୍ତ ଯାତ୍ରୀଙ୍କୁ ଅଟକ ରଖାଯାଇଛି।