ନିର୍ମାଣାଧୀନ ପ୍ରକଳ୍ପ ବନ୍ଦ ହେବନାହିଁ: ବ୍ରିଜମୋହନ ଅଗ୍ରଓ୍ଵାଲ୍‌

ମହାନଦୀ ଜଳବିବାଦ ମାମଲା

ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ମାମଲାର ସମାଧାନ ପାଇଁ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଟ୍ରିବ୍ୟୁନାଲ ଗଠନ କରାଯାଇଛି। ଓଡ଼ିଶାକୁ ଟ୍ରିବ୍ୟୁନାଲ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିବ ଏବଂ ଟ୍ରିବ୍ୟୁନାଲ୍‌ ଯେଉଁ ଆଦେଶ ଦେବେ ଛତିଶଗଡ଼ ମଧ୍ୟ ତାହା ମାନିବ। ହେଲେ ତା’ ପୂର୍ବରୁ ଓଡ଼ିଶା ଦ୍ୱାରା ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ନିର୍ମାଣାଧୀନ ପ୍ରକଳ୍ପ ବନ୍ଦ କରିବାନେଇ ଯେଉଁ ଦାବି କରାଯାଉଛି ତାହା ଆଦୌ ଗ୍ରହଣୀୟ ନୁହେଁ। କୌଣସି ସ୍ଥିତିରେ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରାଯିବ ନାହିଁ ବୋଲି ଆଜି ନୂଆଦିଲ୍ଲୀର ଛତିଶଗଡ଼ ଭବନଠାରେ ‘ସମ୍ବାଦ’ ସହ ଏକ ସାକ୍ଷାତକାରରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲେ ଛତିଶଗଡ଼ର ଜଳସମ୍ପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରଓ୍ଵାଲ । ସେ କହିଛନ୍ତି ଯେ ଆପୋଷ ଆଲୋଚନା ମାଧ୍ୟମରେ ଏହି ମାମଲାର ସମାଧାନ ହୋଇପାରିଥାନ୍ତା କିନ୍ତୁ ଆରମ୍ଭରୁୁ ଓଡ଼ିଶା ମହାନଦୀ ପ୍ରସଙ୍ଗରେ ରାଜନୀତି କରି ଆସୁଛି, ଯାହା ବର୍ତ୍ତମାନ ସୁଦ୍ଧା ଜାରି ରଖିଛି। ଓଡ଼ିଶା ମହାନଦୀ ପ୍ରସଙ୍ଗରେ ପ୍ରଥମେ ଟ୍ରିବ୍ୟୁନାଲ ଦାବି କରିଥିଲା। ଟ୍ରିବ୍ୟୁନାଲ ଗଠନ ହୋଇଛି। ଟ୍ରିବ୍ୟୁନାଲ୍‌ର ଶୁଣାଣି ଓ ରାୟକୁ ଧୈର୍ଯ୍ୟର ସହ ଓଡ଼ିଶାକୁ ଅପେକ୍ଷା କରିବାକୁ ପଡ଼ିବ। ଟ୍ରିବ୍ୟୁନାଲ ଉପରେ ବି ଓଡ଼ିଶା ସରକାର ବିଶ୍ୱାସ କରୁନାହାନ୍ତି। ରାଜ୍ୟ ସରକାର ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲ୍‌ର ଅପମାନ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ବ୍ରିଜମୋହନ ଅଗ୍ରଓ୍ଵାଲ୍‌। ମହାନଦୀ ମାମଲାରେ ଓଡ଼ିଶା ପ୍ରତ୍ୟେକ ଦିନ କିଛି ନା’ କିଛି ନୂଆ ଅଭିଯୋଗ ଆଣୁଛି ଏବଂ ତାହାର କୌଣସି ସତ୍ୟତା ନାହିଁ ତେଣୁ ଏନେଇ ଆମେ ଟ୍ରିବ୍ୟୁନାଲ୍‌ରେ ଦୃଢ଼ଭାବେ ଆମ ପକ୍ଷ ରଖିବୁ ବୋଲି ବ୍ରିଜମୋହନ କହିଛନ୍ତି। ବିଜେଡି ଦ୍ୱାରା ମହାନଦୀ ସୁରକ୍ଷା ମହାସଂଗ୍ରାମ ଆରମ୍ଭ କରାଯାଇଛି। ଛତିଶଗଡ଼ ସରକାର ବିରୋଧରେ ଜନମତ ସୃଷ୍ଟି କରାଯିବାର ଉଦ୍ୟମ ଜାରି ରଖାଯାଇଛି। ତେବେ ଏନେଇ ତାଙ୍କର ପ୍ରତିକ୍ରିୟା କ’ଣ ପଚରାଯିବାରୁ ବ୍ରିଜମୋହନ କହିଥିଲେ ଏମିତି କରି ବିଜେଡ଼ି କେବଳ ରାଜନୀତି କରୁଛି। ଏଥିରେ ଆମର କିଛି କହିବାର ନାହିଁ। ଓଡ଼ିଶା ହାତାଶ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ମଧ୍ୟ ଏହି ମାମଲାରେ ଏଭଳି ଅଭିଯୋଗ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର