ରୁପାନୀ ଏବଂ ନୀତିନ ପଟେଲ ନିର୍ବାଚନ ଲଢ଼ିବେନି

ଅହମଦାବାଦ : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ଚଳିତ ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। ରୁପାନୀ କହିଛନ୍ତି, ସମସ୍ତଙ୍କ ସହଯୋଗ କ୍ରମେ ମୁଁ ୫ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାମ କରିଛି। ଚଳିତ ନିର୍ବାଚନରେ ନୂଆ କର୍ମୀଙ୍କୁ ଦାୟିତ୍ବ ଦିଆଯିବା ଉଚିତ। ତେଣୁ ଅନ୍ୟମାନଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବାପାଇଁ ମୁଁ ନିର୍ବାଚନ ଦୌଡ଼ରୁ ଓହରିଯାଉଛି।

ସେହିପରି ବରିଷ୍ଠ ବିଜେପି ବିଧାୟକ ଭୂପେନ୍ଦ୍ର ସିଂହ ଚୁଡ଼ାସମା କହିଛନ୍ତି, ମୁଁ ୯ ଥର ନିର୍ବାଚନ ଲଢ଼ିଲିଣି। ଏଥିପାଇଁ ଦଳକୁ ମୁଁ କୃତଜ୍ଞତା ଜଣାଉଛି। ଅନ୍ୟ କର୍ମୀଙ୍କୁ ସୁ‌ଯୋଗ ଦେବାପାଇଁ ମୁଁ ଚଳିତ ଥର ନିର୍ବାଚନ ଲଢ଼ିବି ନାହିଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗୁଜରାଟରେ ଚଳିତ ବିଧାନସଭା ନିର୍ବାଚନରେ ଟିକେଟ୍‌ ବଣ୍ଟନ ବିଜେପି ପାଇଁ ବଡ଼ ଚ୍ୟାଲେଂଜ ହୋଇଛି। କଂଗ୍ରେସ ଦଳ ଛାଡ଼ି ଦେଇଥିବା ପ୍ରାୟ ୩୫-୪୦ ବିଧାୟକ ବିଜେପି ଟିକେଟ ପାଇଁ ଆଶାୟୀ ଅଛନ୍ତି। ବିଜେପି ଯଦି ସେମାନଙ୍କୁ ଟି‌କେଟ ନଦିଏ ତେବେ ସେମାନେ ବିଜେପିର ଅଙ୍କ ବିଗାଡ଼ି ଦେଇପାରନ୍ତି। ତେଣୁ କିଛି ପୂର୍ବତନ କଂଗ୍ରେସ ନେତାଙ୍କୁ ଟିକେଟ ଦେବାପାଇଁ ବିଜେପି ଏହାର ଟାଣୁଆ ନେତାଙ୍କୁ ମଧ୍ୟ ‌ନିର୍ବାଚନ ଦୌଡ଼ରୁ ବାଦ୍‌ ଦେବାପାଇଁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର