ନୂଆଦିଲ୍ଲୀ: ରୁପେ ଡେବିଟ୍ କାର୍ଡ ଓ ଭିମ୍-ୟୁପିଆଇ ଜରିଆରେ ପେମେଣ୍ଟ୍ କାରବାର ବଢ଼ାଇବା ଲାଗି ୧୩୦୦ କୋଟି ଟଙ୍କାର ଏକ ପ୍ରୋତ୍ସାହନ ସ୍କିମ୍ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହାକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ସ୍କିମ୍‌ରେ ବ୍ୟାଙ୍କଗୁଡ଼ିକୁ ପ୍ରୋତ୍ସାହନ ରାଶି ଦିଆଯିବ। ରୁପେ ଡେବିଟ୍ କାର୍ଡ କିମ୍ବା ଭିଡ୍ ୟୁପିଆଇକୁ ବ୍ୟବହାର କରି ଯଦି କୌଣସି ବ୍ୟକ୍ତି ୨୦୦୦ ଟଙ୍କାରୁ କମ୍ ମୂଲ୍ୟର ପେମେଣ୍ଟ୍‌ କରିବେ, କେବଳ ସେହି କ୍ଷେତ୍ରର ପ୍ରୋ‌ତ୍ସାହନ ରାଶି ଦିଆଯିବ। ବ୍ୟକ୍ତି ଠାରୁ ମର୍ଚାଣ୍ଟ୍‌କୁ କରାଯାଉଥିବା ପେମେଣ୍ଟ୍‌ ଉପରେ ଏହା ଲାଗୁ ହେବ।

Advertisment

ବର୍ଷକ ପାଇଁ ଏହି ସ୍କିମ୍ କାର୍ଯ୍ୟକାରୀ ହେବ। ଚଳିତ ବର୍ଷ ଏପ୍ରିଲ୍ ୧ରୁ ଏହାର ସମୟ ଆରମ୍ଭ ହୋଇଥିବା କୁହାଯାଇଛି। ସାଧାରଣତଃ ଡିଜିଟାଲ୍ ପେମେଣ୍ଟ୍‌ ସୁବିଧା ପ୍ରଦାନ କରୁଥିବା ବ୍ୟାଙ୍କଗୁଡ଼ିକ ଭିତ୍ତିଭୂମି ସୁବିଧା ଯୋଗାଇ ଦେଉଥିବାରୁ ମର୍ଚାଣ୍ଟ୍‌ମାନଙ୍କ ଠାରୁ ଶୁଳ୍କ ଆଦାୟ କରନ୍ତି। ଏହି ସ୍କିମ୍‌ରେ ବ୍ୟାଙ୍କଗୁଡ଼ିକୁ ପ୍ରୋତ୍ସାହନ ରାଶି ଦିଆଯିବ। ଫଳରେ ସେମାନେ ସେହି ଟଙ୍କାକୁ ବ୍ୟବହାର କରି ରୁପେ ଡେବିଟ୍ କାର୍ଡ ଓ ଭିମ୍-ୟୁପିଆଇ ବ୍ୟବସ୍ଥାକୁ ଆହୁରି ଦୃଢ଼ କରିପାରିବେ ଏବଂ ଏହି ସେବାକୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଲାଗି ଉଦ୍ୟମ କରିପାରିବେ। ଫଳରେ ବ୍ୟାଙ୍କ ନଥିବା କିମ୍ବା ଦୁର୍ବଳ ବ୍ୟାଙ୍କ ସେବା ମିଳୁଥିବା ଅଞ୍ଚଳର ଲୋକମାନେ ଏହା ଦ୍ବାରା ଉପକୃତ ହେବେ।