ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ, ୮୦ ଛୁଇଁଲା

ନୂଆଦିଲ୍ଲୀ : ଡଲାର ତୁଳନାରେ ଭାରତୀୟ ଟଙ୍କାର ଅବମୂଲ୍ୟାଙ୍କନ ଜାରି ରହିଛି। ମଙ୍ଗଳବାର ପ୍ରଥମ ଥର ପାଇଁ  ଏକ ଡଲାରର ମୂଲ୍ୟ  ୮୦ ଟଙ୍କାରେ ପହଞ୍ଚିଛି।  ଆମେରିକାରେ ମୁଦ୍ରାସ୍ପୀତି ବଢିବା ଯୋଗୁଁ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢାଇଦେଇଛି । ଏହା ଫଳରେ ଡଲାର ସୁଦୃଢ ହେଉଛି । ଏହିକାରଣରୁ କେବଳ ଭାରତୀୟ ଟଙ୍କା ନୁହେଁ, ଅନ୍ୟ ପ୍ରମୁଖ ମୁଦ୍ରାଗୁଡ଼ିକର ଅବମୂଲ୍ୟାଙ୍କନ ଜାରି ରହିଛି । ଏବେ ବାସ୍ତବ ଭୟ ହେଉଛି ଟଙ୍କାର ମୂଲ୍ୟ ଆହୁରି ହ୍ରାସ ନ ହୋଇଯାଉ।

ବିଶେଷଜ୍ଞଙ୍କ ମତରେ ଆଗକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧ ତଳକୁ ବି ଖସିଯାଇପାରେ । ତେବେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ସାଧାରଣ ଲୋକେ ଯେ ଖୁବ୍ ଭାବେ ପ୍ରଭାବିତ ହେ‌ବେ ଏଥିରେ ଆ‌ଦୌ ସନ୍ଦେହ ନାହିଁ।

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ଭାରତର ଆମଦାନୀ ମହଙ୍ଗା ହେବ । ଫଳରେ ଆମଦାନୀ ସାମଗ୍ରୀର ମୂଲ୍ୟ ବଢିବ । ଏସବୁ ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ତେଲ (ପେଟ୍ରୋଲିୟମ) । ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତେଲ ଆମଦାନୀ କରୁଥାଏ ଓ ଏଥିପାଇଁ ଡଲାରରେ ପୈଠ କରାଯାଏ । ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି।

ସେହିପରି ଭାରତ ମୋବାଇଲ ଫୋନ ଉପକରଣ, ଏଲଇଡି ଟିଭି ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ବିଦେଶରୁ ଆମଦାନୀ କରିଥାଏ ।  ଏଣୁ ଏଗୁଡ଼ିକର ମୂଲ୍ୟ ବଢିବ । ଯେଉଁମାନେ ବିଦେଶରେ ବଢୁଛନ୍ତି ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।

ଅନ୍ୟପକ୍ଷରେ ଭାରତ ରପ୍ତାନି କରୁଥିବା ସେବା ଓ ସାମଗ୍ରୀ ବାବଦରୁ ଅଧିକ ଆୟ କରିବ । ବିଶେଷକରି ସଫ୍ଟଓ୍ବାର ରପ୍ତାନି ବାବଦରେ ଅଧିକ ଆୟ କରିବ ଭାରତ ।

ସମ୍ବନ୍ଧିତ ଖବର