ନୂଆଦିଲ୍ଲୀ : ଭାରତୀୟ ଟଙ୍କା ଏକ ଅନ୍ତର୍ଜାତୀୟ ମୁଦ୍ରା ରେ ପରିଣତ ହେବା ପଥରେ ଆଗେଇ ଚାଲିଛି । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶନିବାର ଆଶା ବ୍ୟକ୍ତ କରିଛନ୍ତି ଯେ ବ୍ୟବସାୟୀମାନେ ଖୁବଶୀଘ୍ର ଟଙ୍କାରେ ବିଦେଶୀ କାରବାର କରିପାରିବେ। ସେ କହିଛନ୍ତି ଯେ ବିଭିନ୍ନ ଦେଶର ଅନେକ ବ୍ୟାଙ୍କ ଭାରତୀୟ ବ୍ୟାଙ୍କଗୁଡିକ ସହିତ ସ୍ୱତନ୍ତ୍ର ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲୁଛନ୍ତି ।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ରିଟେନ, ସିଙ୍ଗାପୁର ଏବଂ ନ୍ୟୁଜିଲାଣ୍ଡ ସମେତ ୧୮ଟି ଦେଶର ବ୍ୟାଙ୍କ ସହିତ ସ୍ୱତନ୍ତ୍ର ଟଙ୍କା ଭୋଷ୍ଟ୍ରୋ ଆକାଉଣ୍ଟ (ଏସଆରଭିଏ) ଖୋଲିବା ପାଇଁ ୬୦ଟି ଅନୁରୋଧକୁ ଅନୁମୋଦନ କରିଛି । ସେ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ଦେଶର ଏହାର ପ୍ରତିପକ୍ଷଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରୁଛି ।
ସେ ରାଜକୋଟରେ କହିଛନ୍ତି ଯେ ଆମେ ଖୁବଶୀଘ୍ର ଅନେକ ଦେଶ ସହିତ ଟଙ୍କାର ଅନ୍ତର୍ଜାତୀୟ ବାଣିଜ୍ୟ ଦେଖିବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁରୋପୀୟ ସଂଘ, ବ୍ରିଟେନ ଏବଂ କାନାଡା ଭଳି ବିକଶିତ ଅଞ୍ଚଳ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ପାଇଁ ଆଲୋଚନା ଏକ ଅଗ୍ରଣୀ ପର୍ଯ୍ୟାୟରେ ଅଛି ।
ସୂଚନାଯୋଗ୍ୟ ଯେ ରୁଷ ଓ ଇରାନ ଉପରେ ଆମେରିକା କଟକଣା ଲଗାଇବା ପରେ ଭାରତ ଏସବୁ ଦେଶଙ୍କ ସହ ଟଙ୍କାରେ କାରବାର କରୁଛି ।