ଗ୍ରାମାଞ୍ଚଳ ସଂକ୍ରମଣ ଜଟିଳ ସ୍ଥିତି ସୃଷ୍ଟି କରିବ, ସ୍ବାସ୍ଥ୍ୟସେବା ଯୋଗାଇବା ବଡ଼ ଚ୍ୟାଲେଂଜ ହେବ

ନୂଆଦିଲ୍ଲୀ: ଦେଶରେ ଏବେ କୋଭିଡ୍‌ ସଂକ୍ରମଣର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯୁଦ୍ଧସ୍ତରରେ ପ୍ରୟାସ ଜାରି ରଖିଛନ୍ତି। ବଡ଼ ବଡ଼ ସହରରେ ସଂକ୍ରମଣ ଆରମ୍ଭ ହେବା ସମୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା। କରୋନା ମୁକାବିଲା ପାଇଁ କଡ଼ା ନିୟମାବଳୀ ବି ପାଳନ ହୋଇଥିଲା। ତେଣୁ ସହରାଞ୍ଚଳରେ ସଂକ୍ରମଣ ଏବେ ସୀମିତ ରହିଥିବା ବେଳେ ସରକାରଙ୍କ ପାଇଁ ଏବେ ଚିନ୍ତା ବଢ଼ାଇଛି ଗ୍ରାମାଞ୍ଚଳ। ଗ୍ରାମୀଣ ଭାରତରେ କ‌ରୋନା ନିୟମକୁ ‌ଯେଭଳି ବେଖାତିର କରାଯାଇଛି କେବଳ ସେହି କାରଣ ପାଇଁ ଭାରତ ଏବେ ବିଶ୍ବରେ ସଂକ୍ରମଣ କ୍ଷେତ୍ରରେ ୧ ନମ୍ବର ହେବାକୁ ଯାଉଛି। ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଗ୍ରାମାଞ୍ଚଳରେ ଲୋକମାନେ ମାସ୍କ ପିନ୍ଧୁନାହାନ୍ତ କି ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରୁନାହାନ୍ତି। ଲୋକମାନେ କୋଭିଡ୍‌ ଟେଷ୍ଟ୍‌ କରିବାକୁ ଭୟ କରୁଛନ୍ତି। ଅନେକ ଲୋକ ମଧ୍ୟ ଅସୁସ୍ଥତାକୁ ଲୁଚାଉଛନ୍ତି।

ବିହାର, ଉତ୍ତରପ୍ରଦେଶ. ପଶ୍ଚିମବଙ୍ଗ, ତାମିଲନାଡ଼ୁରେ ଗ୍ରାମାଞ୍ଚଳ ସ୍ଥିତି ଏବେ ସାଂଘାତିକ ହେବାକୁ ଯାଉଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ମଧ୍ୟ ଗ୍ରାମାଞ୍ଚଳ ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ତଥାପି ଲୋକେ ଏମିତି ବ୍ୟବହାର କରୁଛନ୍ତି ଯେମିତ କରୋନା ମହାମାରୀ ବୋଲି କିଛି ନାହିଁ। ଏପରିକି ମହାମାରୀ ନିୟମ କାର୍ଯ୍ୟକାରୀ କରିବାପାଇଁ ନିୟୋଜିତ ପୁଲିସ ଅଧିକାରୀଙ୍କୁ ବି ବିନା ମାସ୍କରେ ଦେଖିବାକୁ ମିଳୁଛି। ଭାରତରେ ୬୯ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ଆମେରିକାରେ ୭୮ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ଆମେରିକା ତୁଳନାରେ ଭାରତରେ ଦୈନିକ ସଂକ୍ରମଣ ପ୍ରାୟ ୩୦ ହଜାର ଅଧିକ ରହୁଛି। ଖୁବ୍‌ ଶୀଘ୍ର ଭାରତ ଆମେରିକାକୁ ଟପିଯିବ। ଆଗକୁ ଭାରତର ଗ୍ରାମାଞ୍ଚଳରେ ସ୍ଥିତି ଭୟାନକ ରୂପ ନେଲେ ସ୍ବାସ୍ଥ୍ୟସେବା ଉପଲବ୍ଧ କରାଇବା ସରକାରଙ୍କ ପାଇଁ ବହୁତ ବଡ଼ ଚ୍ୟାଲେଂଜ ହେବ। ଗ୍ରାମାଞ୍ଚଳରେ ଅଧିକାଂଶ ‌ଲୋକ ଏହା ବିଶ୍ବାସ କରୁଛନ୍ତି ଯେ, ସରକାର ମହାମାରୀକୁ ନେଇ ଅଧିକ ଭୟଭୀତ ଅଛନ୍ତି ଏବଂ ଲୋକମାନେ ଯେଉଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ତାହା ସରକାର ବୁଝି ପାରୁନାହାନ୍ତି। ଅଧିକାଂଶ ଲୋକ ରୋଜଗାର ପାଇଁ ନିଜ ଅସୁସ୍ଥତା ସମ୍ପର୍କରେ ଲୁଚାଉଛନ୍ତି। ପାଖ ପଡ଼ୋଶୀ ମଧ୍ୟ ଆକ୍ରାନ୍ତଙ୍କୁ ଘୃଣା ଦୃଷ୍ଟିରେ ଦେଖୁଛନ୍ତି। ଏହି କାରଣ ପାଇଁ ଗ୍ରାମାଞ୍ଚଳର ଲୋକେ ଅସୁସ୍ଥତା ସମ୍ପର୍କରେ ଲୁଚାଉଛନ୍ତି। ଫଳରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି।

ସମ୍ବନ୍ଧିତ ଖବର