ସଂସାର ମୋହମାୟା ତ୍ୟାଗ କରି ସନ୍ନ୍ୟାସୀ ହୋଇ ଚାଲିଗଲେ ୨୫ ବର୍ଷୀୟ ଋଷଭ ବୋଥ୍ରା

ପାଟନା: ଯୁବ ପିଢ଼ି ଯେତେବେଳେ ଧର୍ମ ଏବଂ ଆଧ୍ୟାତ୍ମିକତାଠାରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି, ବିହାରର ସମ୍ଭ୍ରାନ୍ତ ଘରର ଜଣେ ଯୁବକ ମୋହ ମାୟାକୁ ପର କରି ସନ୍ନ୍ୟାସୀ ହୋଇ ଚାଲିଯାଇଛନ୍ତି | ଆଉ ଯୁବକଙ୍କ ବିଦାୟକାଳୀନ ଦୃଶ୍ୟ ସମସ୍ତଙ୍କୁ କନ୍ଦାଇଦେଇଥିଲା | ବିହାର ଫରବିସଗଞ୍ଜର ୨୫ ବର୍ଷୀୟ ଯୁବକ ପରିବାର ସହ ମୋହ ମାୟା ତୁଟାଇ ଜୈନ ଧର୍ମ ଗ୍ରହଣ କରି ସାଧୁ ହୋଇ ଚାଲିଯାଇଛନ୍ତି | ଏହି ଯୁବକ ଜଣକ ହେଉଛନ୍ତି ପ୍ରଦୀପ ବୋଥ୍ରା ଏବଂ ମାତା ସୁରଜ ଦେବୀଙ୍କ ୨୫ ବର୍ଷର ପୁଅ ଋଷଭ ବୋଥ୍ରା |

ଋଷଭ ବୋଥ୍ରାଙ୍କ ଜେଜେବାପା ସ୍ୱର୍ଗତ ବୁଲାକି ଚାନ୍ଦ ବୋଥ୍ରା ଫରବିସଗଞ୍ଜର ସବୁଠାରୁ ବଡ ବ୍ୟବସାୟୀ ଥିଲେ ଏବଂ ଋଷଭଙ୍କ ବାପା ଏବେ ବ୍ୟବସାୟ ସମ୍ଭାଳୁଥିବାବେଳେ ଋଷଭ ସାଂସାରିକ ମୋହ ତ୍ୟାଗ କରି ସତ୍ୟ ଏବଂ ସଂଯମତାର ପଥ ଆପଣାଇଛନ୍ତି | ଋଷଭଙ୍କର ପ୍ରାଥମିକ ଶିକ୍ଷା ଫରବିସଗଞ୍ଜରେ ହୋଇଥିଲା | ଏହା ପରେ ସେ କୋଲକାତା ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ଋଷଭ ଜୈନ ସାଧୁମାନଙ୍କ ସଂସ୍ପର୍ଶରେ ଆସିଥିଲେ |

ସାଧୁମାନଙ୍କ ସେବା କରିବାବେଳେ ସାଧୁ ହୋଇଯିବାକୁ ନିଷ୍ପତ୍ତି ନେଇଥିଲେ | ସୂଚନା ମୁତାବକ ଋଷଭଙ୍କ ଭଉଣୀ ଗାରିମା ବୋଥ୍ରା ୨୦୧୨ ମସିହାରେ ସାଧବୀ ହୋଇ ଚାଲିଯାଇଥିଲେ | ଋଷଭ ଆଜି ଘରୁ ଚାଲିଯାଇଥିବାବେଳେ ଆସନ୍ତା ଫେବୃୟାରୀ ୨ ତାରିଖରେ ରାଜସ୍ଥାନର ଯୋଧପୁରରେ ସେ ଦୀକ୍ଷା ଗ୍ରହଣ କରିବେ | ତେବେ ଋଷଭଙ୍କ ପାଇଁ ଆଜି ପରିବାର ପକ୍ଷରୁ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା | ଶହ ଶହ ସଂଖ୍ୟାରେ ଜୈନ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ | ଆଉ ଋଷଭଙ୍କ ପରିବାର ତାଙ୍କୁ ବିଦାୟ ଦେଇଥିଲେ |

ସମ୍ବନ୍ଧିତ ଖବର