ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତାଙ୍କ ବିଭିନ୍ନ ଯୁଗଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିମାନରେ ଅକ୍ଷତା ମୂର୍ତ୍ତି ସ୍ବାମୀ ସୁନକଙ୍କ ଟାଇ ବାନ୍ଧିବାଠାରୁ ଆରମ୍ଭ କରି ବର୍ଷାରେ ମନ୍ଦିରକୁ ଯିବା ସମୟରେ ଏକ ଲାଲ୍ ଛତା ତଳେ ଏକାଠି ଯିବା ପର୍ଯ୍ୟନ୍ତ ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ ଅବସରରେ ବ୍ରିଟିସ ପ୍ରଧାନମନ୍ତ୍ରୀ ଦମ୍ପତିଙ୍କ ଫଟୋ ବେଶ୍ ଆବର୍ଷଣୀୟ ଓ ଭାଇରାଲ ହୋଇଛି। ଇନଷ୍ଟାଗ୍ରାମ୍ରେ ସେୟାର୍ଯୋଗ୍ୟ ମୁହୂର୍ତ୍ତଗୁଡ଼ିକ ଅକ୍ଷତାଙ୍କ ଏକ ଫଟୋ ସହିତ ଆରମ୍ଭ ହୋଇଥିଲା ଯେଉଁଥିରେ ବିମାନରୁ ଅବତରଣ ପୂର୍ବରୁ ସେ ସୁନକଙ୍କ ଟାଇ ଠିକ୍ କରୁଥିବା ଦେଖିବାକୁ ମିଳିଛି। ଏହି ଫଟୋ ବ୍ରିଟେନ ପ୍ରଧାନମନ୍ତ୍ରୀ ସେୟାର କରିଥିବା ଏକ ଇନଷ୍ଟାଗ୍ରାମ୍ ପୋଷ୍ଟରୁ ଆସିଛି। ଅବତରଣ ପୂର୍ବରୁ ସୁନକ ତାଙ୍କ ସହ ଯାତ୍ରା କରୁଥିବା ସାମ୍ବାଦିକମାନଙ୍କୁ କହିଥିଲେ ଯେ ଏହା ତାଙ୍କ ପାଇଁ ଏକ ବିଶେଷ ଯାତ୍ରା। ସେ ଗୋଟିଏ ଜାଗାରେ ଶୁଣିଲେ ଯେ ତାଙ୍କୁ ଭାରତର ଜ୍ୱାଇଁ ବୋଲି କୁହାଯାଉଛି। ସ୍ନେହରେ ତାଙ୍କୁ ଏପରି କୁହାଯାଉଥିବା ସେ କହିଥିଲେ। ସୂଚନାଯୋଗ୍ୟ, ଅକ୍ଷତା ମୂର୍ତ୍ତି ହେଉଛନ୍ତି ଇନଫୋସିସ୍ ସହ-ପ୍ରତିଷ୍ଠାତା ଏନ୍ଆର୍ ନାରାୟଣ ମୂର୍ତ୍ତିଙ୍କ ଝିଅ।
ଶୁକ୍ରବାର ଅବତରଣର କିଛି ସମୟ ପରେ ସୁନକ ଏବଂ ଅକ୍ଷତା ବ୍ରିଟିସ କାଉନ୍ସିଲ ଅଭିମୁଖେ ଯାଇଥିଲେ ଯେଉଁଠାରେ ସେମାନେ ଛାତ୍ରମାନଙ୍କ ସହ କଥାବାର୍ତ୍ତା କରିଥିଲେ। ସେଠାରେ ଛାତ୍ରମାନଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ଦମ୍ପତିଙ୍କର ଆଉ ଏକ ଫଟୋ ନିଆଯାଇଥିଲା। ଏହି ଫଟୋଗୁଡ଼ିକ ସୁନକଙ୍କ ଦ୍ବାରା ଟ୍ୱିଟରରେ ପୋଷ୍ଟ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ବିଶ୍ୱନେତାଙ୍କ ପାଇଁ ରାତ୍ରିଭୋଜନ ସମୟରେ ବି ଅନେକ ଫଟୋ ଉଠାଯାଇଥିଲା। ଗୋଟିଏ ଫଟୋରେ ଭାରତୀୟ ପୋଷାକ ପିନ୍ଧିଥିବା ଅକ୍ଷତାଙ୍କୁ ରାତ୍ରିଭୋଜନ ପାଇଁ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଫଟୋଗୁଡ଼ିକୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ସେୟାର କରିଛନ୍ତି। ଆଜି ସକାଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ଦମ୍ପତି ପୂର୍ବଦିଲ୍ଲୀର ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ। ସକାଳ ବର୍ଷା ଲାଗିରହିବା ଭିତରେ ମନ୍ଦିରକୁ ଗଲାବେଳେ ଉଭୟ ନାଲି ଛତାତଳେ ଯାଉଥିବାର ଫଟୋ ଉଠାଯାଇଛି। ମନ୍ଦିର ଭିତରେ ମଧ୍ୟ ସେମାନଙ୍କୁ ଏକାଠି ଆରତି କରୁଥିବା ଏକ ଫଟୋରେ ଦେଖିବାକୁ ମିଳିଛି।