ରୁଷର ବଡ଼ ଘୋଷଣା : ଖାରସନରୁ ସୈନ୍ୟ ପ୍ରତ୍ୟାହାର କରିବ

କିବ୍ : ରୁଷ-ୟୁକ୍ରେନ ଯୁଦ୍ଧରେ ଏକ ନାଟକୀୟ ମୋଡ଼ ଆସିଛି । ରୁଷ ସେନା ୟୁକ୍ରେନ ସହର ଖାରସନରୁ ପଛକୁ ହଟିବା ଆରମ୍ଭ କରିଛନ୍ତି । ରୁଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କ ନିର୍ଦ୍ଦେଶ କ୍ରମେ ରୁଷ ସେନା ପଛକୁ ହଟିବା ଆରମ୍ଭ କରିଛନ୍ତି ।

ଯଦି ରୁଷର ଏହି ଘୋଷଣାରେ ସତ୍ୟତା ଥାଏ, ତେବେ ଏହା ଯୁଦ୍ଧକୁ ଏକ ନାଟକୀୟ ମୋଡ ପ୍ରଦାନ କରିବ ଓ ଯୁଦ୍ଧ ସମାପ୍ତି ଲାଗି ଆଶା ସଂଚାର କରିବ ।

ଅନ୍ୟପକ୍ଷରେ ରୁଷର ଏହି ନିଷ୍ପତ୍ତିକୁ ସଂଦେହ ଦୃଷ୍ଟିରେ ଦେଖୁଛି ୟୁକ୍ରେନ । ୟୁକ୍ରେନର ରାଷ୍ଟ୍ରପତିଙ୍କ ଜଣେ ବରିଷ୍ଠ ପରାମର୍ଶଦାତା କହିଛନ୍ତି ଯେ ଦକ୍ଷିଣ ସହର ଖେରସନରୁ ରୁଷୀୟ ସୈନ୍ୟ ପ୍ରତ୍ୟାହାର ବିଷୟରେ ଏବେଠାରୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ଠିକ ହେବ ନାହିଁ ।

ଯୁଦ୍ଧ ଦାୟିତ୍ବରେ ଥିବା ରୁଷର କମାଣ୍ଡର ଜେନେରାଲ ସର୍ଗେଇ ସୁରୋଭିକିନଙ୍କ ପରାମର୍ଶକ୍ରମେ ରୁଷ ପ୍ରତିରକ୍ଷା ମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ଖାରସନରୁ ରୁଷର ସୈନ୍ୟ ପ୍ରତ୍ୟାହାର ଏପରି ସମୟରେ ହୋଇଛି, ଯେଉଁ ସମୟରେ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ରୁଷ ଗସ୍ତରେ ଅଛନ୍ତି । ଗତ କାଲି ସେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ ଭେଟି ଆଲୋଚନା କରିଥିଲେ ।

ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଭାରତ ଗୋପନରେ ଉଦ୍ୟମ କରୁଥିବା ନେଇ ଆମେରିକା ସମେତ ସମଗ୍ର ପାଶ୍ଚାତ୍ୟ ଜଗତରେ ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର