ନୂଆଦିଲ୍ଲୀ: କ୍ରାଇମିଆରେ କରାଯାଇଥିବା ‘ଡ୍ରୋନ୍‌’ ନିକ୍ଷେପ ଉଦ୍ୟମରେ ବ୍ରିଟେନ୍‌ ସମ୍ପୃକ୍ତ ଥିବା କଥା ରୁଷ୍‌ ଅଭିଯୋଗ କରିଛି।

Advertisment

ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ ଅଭିଯୋଗ କରିଛି ଯେ, ୟୁକ୍ରେନ୍‌ ବିଫଳପ୍ରଯତ୍ନ ହୋଇଥିବା ‘ଡ୍ରୋନ୍‌’ ଆକ୍ରମଣ ଉଦ୍ୟମରେ ଇଂଲଣ୍ଡ୍‌ ତାଲିମ ଦେଇଥିଲା ଓ ନିକ୍ଷେପଣର ତଦାରଖ ମଧ୍ୟ କରିଥିଲା।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, କୃଷ୍ଣ ସାଗର ଯୁଦ୍ଧପୋତସମୂହ ଓ ସେଭାସ୍ତୋପୋଲ୍‌ ଘାଟିର ବାହ୍ୟ ଓ ଅଭ୍ୟନ୍ତର ମାର୍ଗରେ ଥିବା ବେସାମରିକ ଜାହାଜଗୁଡ଼ିକ ଉପରେ କିବ୍ ଆତଙ୍କବାଦୀ ଆକ୍ରମଣ କରିଥିଲା। ଉକ୍ତ ଆକ୍ରମଣରେ ୯ଟି ଡ୍ରୋନ୍‌ ଏବଂ ୭ଟି ସ୍ବୟଂକ୍ରିୟ ସାମୁଦ୍ରିକ ଡ୍ରୋନ୍‌ ସମ୍ପୃକ୍ତ ଥିଲା।

publive-image Image Courtesy of NDTV

ଶନିବାର ପ୍ରତ୍ୟୁଷରେ ସଂଗଠିତ ଆକ୍ରମଣରେ ସେଗୁଡ଼ିକୁ ଧ୍ବଂସ କରି ଦେଇଛି ବୋଲି ରୁଷ୍‌ ଘୋଷଣା କରିଛି।

ଏହି ଆତଙ୍କବାଦ କାଣ୍ଡର ପ୍ରସ୍ତୁତି ଓ ୭୩ତମ ‘ମେରାଇନ୍‌ ସ୍ପେସାଲ୍‌ ଅପରେସନ୍‌ ସେଣ୍ଟର୍‌’ର ସାମରିକ କର୍ମଚାରୀମାନଙ୍କର ତାଲିମ ବ୍ରିଟିସ୍‌ ବିଶେଷଜ୍ଞମାନଙ୍କ ତତ୍ତ୍ବାବଧାନରେ କରାଯାଇଥିଲା ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି।

କିନ୍ତୁ, ଏ ଅଭିଯୋଗ ସଂକ୍ରାନ୍ତରେ ବ୍ରିଟେନ୍‌ ଏପର୍ଯ୍ୟନ୍ତ ପ୍ରତ୍ୟୁତ୍ତର ଦେଇନାହିଁ।

ସେପ୍ଟେମ୍ବର ୨୬ରେ ବାଲ୍‌ଟିକ୍‌ ସାଗରରେ ବିସ୍ଫୋରଣ କରି ‘ନର୍ଡ ଷ୍ଟ୍ରିମ୍‌ ୧’ ଓ ‘ନର୍ଡ ଷ୍ଟ୍ରିମ୍‌ ୨’ ଗ୍ୟାସ୍‌ ପାଇପ୍‌ଲାଇନ୍‌ ଧ୍ବଂସ କରିଦେବା ନିମନ୍ତେ କରାଯାଇଥିବା ଷଡ଼ଯନ୍ତ୍ର ଓ ଆକ୍ରମଣ ଆୟୋଜନରେ ମଧ୍ୟ ବ୍ରିଟିସ୍‌ ନୌସେନାର ପ୍ରତିନିଧିମାନେ ସମ୍ପୃକ୍ତ ଥିଲେ ବୋଲି ରୁ‌ଷ୍‌ ଅଭିଯୋଗ କରିଛି।