ୟୁକ୍ରେନ ପ୍ରସଙ୍ଗରେ ଭାରତର ନିରପେକ୍ଷ ଆଭିମୁଖ୍ୟକୁ ଋଷିଆର ପ୍ରସଂଶା

ନୂଆଦିଲ୍ଲୀ : ୟୁକ୍ରେନ ସଂକଟକୁ ନେଇ ଭାରତ ନିରପେକ୍ଷ ନୀତି ଅବଲମ୍ବନ କରୁଥିବାରୁ ଋଷିଆ ତାହାକୁ ସ୍ବାଗତ କରିଛି । ନୂଆଦିଲ୍ଲୀରେ ଥିବା ଋଷୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ୟୁକ୍ରେନ ପ୍ରସଙ୍ଗରେ ଭାରତର ନିରପେକ୍ଷ, ସ୍ବାଧୀନ ଓ ନୀତିଗତ ଆଭିମୁଖ୍ୟକୁ ଋଷିଆ ସ୍ବାଗତ କରୁଛି ।

ୟୁକ୍ରେନ ସଂକଟ ସଂପର୍କରେ ଗତକାଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ଭାରତ ଏହି ସମସ୍ୟାର ମିଲିଟାରୀ ସମାଧାନ ସପକ୍ଷରେ ନାହିଁ । କୂଟନୈତିକ ଆଲୋଚନା ମଧ୍ୟରେ ସମସ୍ୟାର ସମାଧାନ ସପକ୍ଷରେ ଭାରତ ରହିଛି ବୋଲି ମନ୍ତ୍ରାଳୟ କହିଥିଲା । ସେହିପରି ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି ଯେ, ୟୁକ୍ରେନ ପ୍ରସଙ୍ଗରେ ତୁରନ୍ତ ଉତ୍ତେଜନା ହ୍ରାସ ସପକ୍ଷରେ ଭାରତ ରହିଛି ।

ଉଭୟ ଆମେରିକା ଓ ଋଷିଆ ସହ ଭାରତର ଘନିଷ୍ଠ ସଂପର୍କ ଥିବାରୁ ଭାରତ କୌଣସି ଗୋଟିଏ ପଟକୁ ଢଳିବାକୁ ଚାହୁଁନାହିଁ । କାରଣ ଏହା ଦ୍ବାରା ଭାରତର ଜାତୀୟ ହିତ ହିଁ ପ୍ରଭାବିତ ହେବ । ସାମରିକ ବିଶେଷଜ୍ଞଙ୍କ ମତରେ ୟୁକ୍ରେନ ସଂକଟ ଭାରତ ପାଇଁ ଏକ ଧର୍ମସଂକଟଠାରୁ କମ ନୁହେଁ । ସାମରିକ ସାମଗ୍ରୀ ପାଇଁ ଭାରତ ଋଷ ଉପରେ ସର୍ବାଧିକ ନିର୍ଭରଶୀଳ । ଭାରତୀୟ ସାମରିକ ଯନ୍ତ୍ରପାତିର ପ୍ରାୟ ୬୦ ପ୍ରତିଶତ ଋଷନିର୍ମିତ । ଅନ୍ୟପଟେ କେତେକ ଗୁରୁତ୍ବପୂର୍ଣ୍ଣ ସାମରିକ ଉପକରଣ ( ଯେପରିକି ଡ୍ରୋନ, ଗୁଇନ୍ଦା ବିମାନ, ଶୀତବସ୍ତ୍ର, ଲଢୁଆ ବିମାନ) ପାଇଁ ଭାରତ ଆମେରିକା ଓ ୟୁରୋପୀୟ ଦେଶଙ୍କ ଉପରେ ନିର୍ଭରଶୀଳ । ସେହିପରି ଚୀନ ପ୍ରସଙ୍ଗରେ ଆମେରିକା ଭାରତକୁ ସମର୍ଥନ କରୁଛି । ଏଣୁ ଏହି ଯୁଦ୍ଧରେ ଭାରତ ଗୋଟିଏ ପକ୍ଷଭୁକ୍ତ ହେବା ସହଜ ନୁହେଁ ।

ସମ୍ବନ୍ଧିତ ଖବର