ନୂଆଦିଲ୍ଲୀ: ରୁଷ୍ ଉପରେ ୟୁକ୍ରେନ୍ର ବଡ଼ ଡ୍ରୋନ ଆକ୍ରମଣ । ୧୧୭ଟି ଡ୍ରୋନ୍ ଜରିଆରେ ୪୦ଟି ଲଢୁଆ ଯୁଦ୍ଧ ବିମାନ ସହ ୫ଏୟାରବେସ ସମ୍ପୂର୍ଣ୍ଣ ଧ୍ବଂସ । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସକି ଏନେଇ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଆକ୍ରମଣରେ ରୁଷ୍ର ପ୍ରାୟ ୧୭ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ୟୁକ୍ରେନ୍ ଦାବି କରିଛି । ପୂର୍ବ ଯୋଜନା ମୁତାବକ ଏହି ବଡ଼ ଆକ୍ରମଣ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି । ଏହି ଅଭିଯାନରେ ମୋଟ ୧୧୭ଟି ଡ୍ରୋନ ବ୍ୟବହାର କରାଯାଇଥିଲା, ସମାନ ସଂଖ୍ୟକ ଡ୍ରୋନ ଅପରେଟର ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ । ରଣନୈତିକ କ୍ରୁଜର ୩୪% ଏୟାରବେସରେ ନିୟୋଜିତ କ୍ଷେପଣାସ୍ତ୍ର ବାହକମାନଙ୍କୁ ଟାର୍ଗେଟ କରାଯାଇଥିଲା ।
ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି ଆକ୍ରମଣକୁ ସ୍ବୀକାର କରିଛି। ୟୁକ୍ରେନୀୟ ଡ୍ରୋନ୍ ଦ୍ବାରା ପାଞ୍ଚଟି ଏୟାରବେସ ଉପରେ ଆକ୍ରମଣ କରାଯାଇଛି, ଅନେକ ବିମାନକୁ କ୍ଷତି ପହଞ୍ଚାଯାଇଛି ବୋଲି ରୁଷ ପକ୍ଷରୁ ସୂଚନା ଦିଆଯାଇଛି । ଇସ୍ତାନବୁଲରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସକି ମସ୍କୋ ଉପରେ ଚାପ ପକାଇବାକୁ ଏଭଳି ଆକ୍ରମଣ କରାଇଥିବା ଅନୁମାନ କରାଯାଉଛି । ଗୋଟିଏ ପଟେ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ପାଇଁ ଆମେରିକା ଚେଷ୍ଟା କରୁଛି । ହେଲେ ଦୁଇ ପକ୍ଷ ମଧ୍ୟରେ ଆକ୍ରମଣ ଦିନକୁ ଦିନ ତେଜିବାରେ ଲାଗିଛି । ଏହା ପୂର୍ବରୁ ୟୁକ୍ରେନର ଏକ ସେନା ତାଲିମ୍ ଶିବିର ଉପରେ ରୁଷ୍ ଆକ୍ରମଣ କରିଥିଲା । ଏଥିରେ ୧୨ ଜଣ ୟୁକ୍ରେନ୍ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଥିଲେ। ଏହାକୁ ନେଇ ବଡ଼ ପ୍ରତିଆକ୍ରମଣ କରିଛି ୟୁକ୍ରେନ୍ ।
ରୁଷ୍ର ବ୍ରାୟାନସ୍କ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ ହେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣରେ ଏକ ପୋଲ୍ର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍ଟି ମସ୍କୋରୁ କ୍ଲିମୋଭ୍ ସହର ଅଭିମୁଖେ ଯାତ୍ରା କରୁଥିବା ବେଳେ ଭିଗୋନିଚସ୍କି ଜିଲ୍ଲାରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ ଆସୁଥିବା ବେଳେ ପୋଲରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।
ସୀମାବର୍ତ୍ତୀ ଅଂଚଳରେ ଦୁଇ ଦିନ ମଧ୍ୟରେ ଏହା ଦ୍ବିତୀୟ ପୋଲ ବିସ୍ଫୋରଣ ହୋଇଥିବାରୁ ଏହା ପଛରେ ୟୁକ୍ରେନର ହାତ ଥିବା ସନ୍ଦେହ କରାଯାଉଛି। ଗଭର୍ଣ୍ଣର ଆଲେକ୍ଜାଣ୍ଡର ବୋଗୋମାଜ୍ ଟେଲିଗ୍ରାମରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଯୁଦ୍ଧସ୍ତରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଗଭର୍ଣ୍ଣର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/02/FJ8BkMsP5umaXivzvOwm.jpg)