ନୂଆଦିଲ୍ଲୀ: ପୁଣି ଆକ୍ରମଣ କଲା ରୁଷ। ପୂର୍ବରୁ ୟୁକ୍ରେନର ସେଭେରୋଡୋନେଷ୍କରେ ରୁଷ ସେନା ଆକ୍ରମଣ କରିଥିବା ବେଳେ ଏବେ ପୁଣି ଥରେ ସୁମି ଉପରେ ଆକ୍ରମଣ କରିଛି ରୁଷ। ସୁମି ଉପରେ ରୁଷ ଏୟାରଷ୍ଟ୍ରାଇକ କରିବାରୁ ପ୍ରାୟ ୨୨ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରୁଷ ସୁମିର ଆବାସିକ ଅଞ୍ଚଳ ଉପରେ ଆକ୍ରମଣ କରିଥିବା ବେଳେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣ ପରେ ୨ପିଲାଙ୍କ ସମେତ ୫ ଜଣଙ୍କ ଜୀବନ ବଞ୍ଚାଯାଇଥିବା କୁହାଯାଉଛି।
ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଆଜି ୧୪ଦିନ ହୋଇସାରିଥିଲେ ବି ଯୁଦ୍ଧ ଥମି ନାହିଁ। ଗୋଟେ ପରେ ଗୋଟେ ସହର ଉପରେ ଆକ୍ରମଣ କରିଚାଲିଛି ରୁଷ। ଏବେ ରୁଷ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବା ସହ ସେମାନଙ୍କ ଘରକୁ ମଧ୍ୟ ଟାର୍ଗେଟ କରୁଛି। ଆଜି ୟୁକ୍ରେନର ପୂର୍ବ ସହର ସେଭେରୋଡୋନେଷ୍କରେ ରୁଷର ସେନା ଆକ୍ରମଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ଲୁଗାନସ୍କ ଅଞ୍ଚଳର ସ୍ଥାନୀୟ ଅଧିକାରୀ ଟେଲିଗ୍ରାମରେ ଏକ ବିବୃତିରେ କହିଥିଲେ। ସେ କହିଥିଲେ ଯେ, ରୁଷର ସୈନ୍ୟବାହିନୀ ସହରର ଆବାସିକ ଘର ଏବଂ ଅନ୍ୟାନ୍ୟ ଅଟ୍ଟାଳିକା ଉପରେ ଗୁଳି ଚଳାଇବା ଆରମ୍ଭ କରିଛନ୍ତି।
/sambad/media/post_attachments/4f75d7e9aed72e6c62783113ea675e594c82079bb520f3f5d4f61dc77426d248.jpg)
ଅନ୍ୟପକ୍ଷରେ ଆଜି ୟୁକ୍ରେନ ସେନା ଦାବି କରିଛି ଯେ ଯୁଦ୍ଧରେ ଏପର୍ଯ୍ୟନ୍ତ ୧୨,୦୦୦ ରୁ ଅଧିକ ରୁଷ ସୈନ୍ୟ ମୃତ୍ୟୁବରଣ କରିଛନ୍ତି। ତେବେ ୧୪ଦିନ ବିତିଯାଇଥିଲେ ବି ୟୁକ୍ରେନ୍କୁ ଗ୍ରହଣ କରିବା ପାଇଁ ‘ନାଟୋ’ ପ୍ରସ୍ତୁତ ନଥିବାରୁ ୟୁକ୍ରେନ୍ର ‘ନାଟୋ’ ସଦସ୍ୟତା ପାଇଁ ଆଉ ଜିଦ୍ କରିବି ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି।