ନ୍ୟୁୟର୍କ : ଗତ ଫେବ୍ରୁଆରି ୨୪ରୁ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ମାସ ପ୍ରାରମ୍ଭରୁ ଦକ୍ଷିଣପୂର୍ବ ୟୁକ୍ରେନ୍ରେ ଥିବା ଜାପୋରିଝିଆ ପରମାଣୁ କେନ୍ଦ୍ରକୁ ରୁଷ୍ ବାହିନୀ ଦଖଲ କରିନେଇଛନ୍ତି। କିନ୍ତୁ ତଥାପି ଏହା ୟୁକ୍ରେନ୍ର ଟେକ୍ନିସିଆନମାନଙ୍କ ଦ୍ବାରା ପରିଚାଳିତ ହେଉଛି। ଏହି ପରମାଣୁ କେନ୍ଦ୍ର ଉପରେ ଉଭୟ ରୁଷ୍ ଓ ୟୁକ୍ରେନ୍ ସେନା ସମ୍ପ୍ରତି ଆକ୍ରମଣ କରିଥିବା ନେଇ ଉଭୟପକ୍ଷ ଆରୋପ-ପ୍ରତ୍ୟାରୋପ କରୁଥିବା ବେଳେ ଅବସ୍ଥା ଜାଣିବା ଲାଗି ଅନ୍ତର୍ଜାତୀୟ ପରିଦର୍ଶକଙ୍କୁ ଭିତରକୁ ଯିବା ନିମନ୍ତେ ରୁଷ୍ ଅନୁମତି ଦେଉ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଦାବି କରିଛନ୍ତି।
ଶନିବାର ଜାପାନରେ ହିରୋସିମା ଶାନ୍ତି ସ୍ମାରକୀ ଉତ୍ସବରେ ଯୋଗ ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଗୁଟେରସ କହିଛନ୍ତି ଯେ ଏକ ପରମାଣୁ କେନ୍ଦ୍ର ଉପରେ ଯେକୌଣସି ପ୍ରକାର ଆକ୍ରମଣ ଆତ୍ମଘାତୀ ହୋଇଥାଏ।
ୟୁକ୍ରେନ୍ ଶନିବାର ଅଭିଯୋଗ କରିଛି ଯେ, ପରମାଣୁ କେନ୍ଦ୍ରରେ ରୁଷ୍ ସାନି ବୋମାମାଡ଼ କରିଛି, ଯାହାଫଳରେ ତିନୋଟି ରେଡିଏସନ ସେନ୍ସର ନଷ୍ଟ ହୋଇଯାଇଛି ଏବଂ ଜଣେ କର୍ମଚାରୀ ଆହତ ହୋଇଛି। ଏହା କ୍ରମାଗତ ଦୁଇଦିନରେ ଦ୍ବିତୀୟ ଘଟଣା। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ରବିବାର ଏକ ଟେଲିଭିଜନ ଭାଷଣରେ କହିଥିଲେ ଯେ ରୁଷିଆ ପରମାଣୁ ଆତଙ୍କ ସୃଷ୍ଟି କରୁଛି। ଅପରପକ୍ଷେ ରୁଷ୍ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ରୁଷ୍ ନୁହେଁ ୟୁକ୍ରେନ୍ ହିଁ ଏକାଧିକ ରକେଟ୍ ଲଞ୍ଚର ଦ୍ବାରା ଆକ୍ରମଣ କରିବା ଯୋଗୁ ପ୍ରଶାସନିକ କୋଠା ଏବଂ ଷ୍ଟୋର୍ଘର ପାଖ ଅଞ୍ଚଳରେ କିଛି କ୍ଷତି ଘଟିଛି।
ଉଭୟେ ଏପରି ଆରୋପ-ପ୍ରତ୍ୟାରୋପ କରିବା ଭିତରେ ବାସ୍ତବ ବିପଦ ନେଇ ଆକଳନ କରିବାର ଆବଶ୍ୟକତା ରହିଛି। ତେଣୁ ଅନ୍ତର୍ଜାତୀୟ ପ୍ରତିନିଧିଙ୍କୁ ଭିତରେ ଯାଇ ତନଖି କରିବା ଲାଗି ରୁଷ୍ ଅନୁମତି ଦେବା ଉଚିତ ବୋଲି ଜାତିସଂଘ ମୁଖ୍ୟ କହିଛନ୍ତି।