ରୁଷିଆ-ଆମେରିକା ସମିଟ୍‌ ୨୦୧୮ : ‘ବିଶ୍ୱ ଚାହୁଛି ଦୁଇଦେଶ ହାତ ମିଳାନ୍ତୁ’

ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ପାଇଁ ସହମତି

ହେଲ୍‌ସିଙ୍କି : ରୁଷିଆ-ଆମେରିକା ସମ୍ମିଳନୀ ୨୦୧୮ରେ ଆଜି ଉଭୟ ରାଷ୍ଟ୍ର ପକ୍ଷରୁ ସକାରାତ୍ମକ ଭାବ ପ୍ରକାଶ ପାଇଛି। ଉଭୟ ରାଷ୍ଟ୍ର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂଆ ସ୍ତରକୁ ନେଇ ଏହାକୁ ସୁଦୃଢ଼ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ସୋମବାର ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସମସ୍ତ ପୂର୍ବ ପ୍ରସଙ୍ଗକୁ ଭୁଲି ଆଲୋଚନା କରିଛନ୍ତି। ବୈଠକ ପରେ ଟ୍ରମ୍ପ୍‌ ଟ୍ଵିଟ୍‌ କରି କହିଛନ୍ତି, ରୁଷିଆ ସହିତ ଆମର ସମ୍ପର୍କ କଦାପି ଖରାପ ହୋଇନାହିଁ। ଏମିତି କି ଆମେରିକାରେ ନିର୍ବାଚନକୁ ପ୍ରଭାବିତ କରିବାରେ ରୁଷିଆର ହାତ ନାହିଁ ବୋଲି ସେ କହିଛନ୍ତି। ଟ୍ଵିଟର୍‌ରେ ସେ ଲେଖିଛନ୍ତି, ବର୍ଷ ବର୍ଷ ଧରି ଆମେରିକାର ନିର୍ବୋଧପଣିଆ ଯୋଗୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। କିନ୍ତୁ ରୁଷିଆର ଏଥିରେ ହାତ ଥିବା ସେ ଆଦୌ ବିଶ୍ୱାସ କରିବେ ନାହିଁ। ଟ୍ରମ୍ପ୍‌ ଆହୁରି କହିଛନ୍ତି, ଏବେ ସାରା ବିଶ୍ୱ ଚାହୁଛି ଆମେରିକା ଓ ରୁଷିଆ କୌଣସି ନକାରାତ୍ମକ ଚିନ୍ତାଧାରା ନ ରଖି ପରସ୍ପର ସହ ହାତ ମିଳାନ୍ତୁ।

ଅନ୍ୟପକ୍ଷରେ ପୁଟିନ୍‌ କହିଛନ୍ତି, ଟ୍ରମ୍ପ୍‌ ଓ ତାଙ୍କ ମଧ୍ୟରେ ନିୟମିତ ଭାବେ ଯୋଗାଯୋଗ ରହିଆସିଛି। ଫୋନ୍‌ ଯୋଗେ ଅନେକ ଥର କଥାବାର୍ତ୍ତା ହୋଇଥିବା ବେଳେ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରର ବୈଠକରେ ଉଭୟ ଏକାଠି ହୋଇ ଆଲୋଚନା କରିଛନ୍ତି। ତେଣୁ ଏବେ ସମୟ ଆସିଛି ଦୁଇଦେଶ ବିଭିନ୍ନ ଅନ୍ତର୍ଜାତୀୟ ସମସ୍ୟା ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରି ଯଥୋଚିତ ପଦକ୍ଷେପ ନେବେ। ଏହାପରେ ସମ୍ମିଳନୀରେ ଉଭୟ ପକ୍ଷ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର