ନାଟୋର ଦାବି: ୟୁକ୍ରେନ୍ ସୀମାରେ ରୁଷ୍ ସୈନ୍ୟ ମୁତୟନ ବଢ଼ାଉଛି
ରୁଷ୍ର ସୈନ୍ୟ ପ୍ରତ୍ୟାହାର ଆମେ ଏଯାବତ ଦେଖିପାରିନୁ: ୟୁକ୍ରେନ୍ ରାଷ୍ଟ୍ରପତି
ମସ୍କୋ : ରୁଷ୍ କ୍ରିମିଆରେ ଏହାର ସାମରିକ ସମରାଭ୍ୟାସ ଶେଷ କରିଛି ଏବଂ ସୈନିକମାନେ ସେମାନଙ୍କ ସେନାଘାଟିକୁ ଫେରିଛନ୍ତି। ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବୁଧବାର ଦିନ ଏକ ବିବୃତି ଜାରି କରି ଏହା କୁହାଯାଇଛି। ସୈନିକମାନେ ସେମାନଙ୍କ ସାମରିକ ସମରାଭ୍ୟାସ ଶେଷ କରିବାପରେ ସେନା ପ୍ରତିଷ୍ଠାନକୁ ଫେରିବା ଆରମ୍ଭ କରିଛନ୍ତି ଏବଂ କ୍ରିମିଆରେ ସାମରିକ ସମରାଭ୍ୟାସ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ନାଟୋ ଏହାକୁ ପ୍ରତ୍ୟାଖ୍ୟାନ କରିଛି।
ନାଟୋ ମୁଖ୍ୟ ଜେ ଷ୍ଟୋଲେନବର୍ଗ କହିଛନ୍ତି, ରୁଷ୍ ୟୁକ୍ରେନ୍ ସୀମାରୁ ଅଧିକ ସୈନ୍ୟ ପ୍ରତ୍ୟାହାର କରିଛି ବୋଲି କହୁଥିଲେ ସୁଦ୍ଧା ୟୁକ୍ରେନ୍ ସୀମା ନିକଟରେ ଏହା ସୈନ୍ୟ ମୁତୟନ ଜାରି ରଖିଛି ଏବଂ ସୈନ୍ୟସଂଖ୍ୟା ବଢ଼ାଉଛି। ରୁଷ୍ କୂଟନୈତିକ ସମାଧାନ ପାଇଁ ପ୍ରୟାସ ଆରମ୍ଭ କରୁଛି, କିନ୍ତୁ ବାସ୍ତବ ସ୍ଥିତି ଅଲଗା ରହିଛି। ନାଟୋ ମୁଖ୍ୟ କହିଛନ୍ତି, ୟୁକ୍ରେନ୍ ସୀମା ନିକଟରେ ରୁଷ୍ କ’ଣ କରୁଛି ତା’ ଉପରେ ଆମେ ଭଲଭାବେ ନଜର ରଖିଛୁ ଏବଂ ଆମେ ଏହା ଦେଖିବାକୁ ପାଇଛୁ ଯେ ରୁଷ୍ ଏହାର ସୈନ୍ୟ ସଂଖ୍ୟା ବଢ଼ାଉଛି ଏବଂ ଆହୁରି ଅଧିକ ସୈନିକ ୟୁକ୍ରେନ ସୀମା ଅଭିମୁଖେ ଅଗ୍ରସର ହେଉଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ବୋଲଡିଭିର ଜେଲେନସ୍କି କହିଛନ୍ତି, ଏଯାବତ ୟୁକ୍ରେନ୍ ସୀମାରୁ ରୁଷ୍ର ସୈନ୍ୟ ପ୍ରତ୍ୟାହାର ଆମେ ଦେଖିପାରିନୁ ଏବଂ ରୁଷ୍ ବିଭ୍ରାନ୍ତି ବଢ଼ାଉଛି।