କିବ୍ ଉପରେ ରୁଷର ଘନ ଘନ ବୋମାମାଡ଼, ଜଳୁଛି ସମଗ୍ର ସହର

କିବ୍ : ୟୁକ୍ରେନର ରାଜଧାନୀ କିବକୁ ଅଧିକାର କରିବାକୁ ରକ୍ତମୁଖା ହୋଇପଡ଼ିଛି ରୁଷ୍ । ଗତ କାଲିଠାରୁ ଏହି ସହରକୁ ରୁଷ ସେନା ଘେରି ରହିବା ସହ ଘନ ଘନ ବୋମାମାଡ଼ କରିଚାଲିଛି । ସହରର ବିଭିନ୍ନ ଅଂଚଳ ଉପରେ ରୁଷ କ୍ଷେପଣାସ୍ତ୍ର ମାଡ଼ କରିବା ସବ ବିମାନରୁ ମଧ୍ୟ ବୋମା ବର୍ଷଣ କରୁଛି । ଏହା ଫଳରେ କିବ୍ ସହରର ବିଭିନ୍ନ ଅଂଚଳରେ ନିଆଁ ଲାଗିଯାଇଛି ।

ରୁଷିଆର ପ୍ରବଳ ଆକ୍ରମଣ ଫଳରେ କିବରୁ ସାଧାରଣ ଲୋକମାନଙ୍କ ସ୍ଥାନାନ୍ତର କାର୍ଯ୍ୟରେ ବ୍ୟାଘାତ ଘଟିଛି ।

ସେପଟେ ରୁଷ ସେନା ୟୁକ୍ରେନର ବନ୍ଦର ନଗରୀ ମାରିପୁଲ ଅଧିକାର କରିବାକୁ ଅଗ୍ରସର ହୋଇଚାଲିଛି । ପ୍ରାୟ ସାଢେ ୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ମାରିପୁଲ ସହରର ଲୋକମାନେ ଗତ ପ୍ରାୟ ଏକ ସପ୍ତାହ ହେଲା ବିନା ବିଦ୍ୟୁତ, ଗ୍ୟାସ୍ ଓ ଜଳ ଯୋଗାଣରେ ରହୁଛନ୍ତି । ଫଳରେ ଏହି ସହରରେ ଗୁରୁତର ମାନବୀୟ ସଂକଟ ସୃଷ୍ଟି ହେବାରେ ଲାଗିଛି ।

ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ଶୁକ୍ରବାର ପ୍ରାୟ ୫୦୦ରୁ ୬୦୦ ରୁଷୀୟ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି । ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନର ପ୍ରାୟ ୧୩୦୦ ସୈନ୍ୟ ମୃତ୍ୟୁବରଣ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ତେବେ ୟୁକ୍ରେନ ଜୈବ ଅସ୍ତ୍ର ରଖିଥିବା ମସ୍କୋ କରୁଥିବା ଅଭିଯୋଗକୁ ଜେଲେନସ୍କି ଖଣ୍ଡନ କରିଛନ୍ତି ।

 

ସମ୍ବନ୍ଧିତ ଖବର