ଆମେରିକା ଦୂତାବାସରେ ହିଁ ଷଡ଼ଯନ୍ତ୍ର ହୋଇଛି
କୂଟନୀତିଜ୍ଞଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ
ମସ୍କୋ : ରୁଷ୍ରେ ଗିରଫ ହୋଇଥିବା ଜଣେ ବିରୋଧୀ ନେତାଙ୍କୁ ଖଲାସ କରିବା ଦାବିରେ ଏବେ ଉଗ୍ର ଆନ୍ଦୋଳନ ଚାଲିଛି। ଏହି ହିଂସାତ୍ମକ ଆନ୍ଦୋଳନ ପାଇଁ ଆମେରିକା ଏବଂ ରୁଷ୍ ମଧ୍ୟରେ ଉତ୍ତେଜନା ବଢ଼ିଛି। ରୁଷ୍ ବିଦେଶ ମନ୍ତ୍ରାଳୟ ଆଜି ଆନ୍ଦୋଳନ ପାଇଁ ଆମେରିକାକୁ ଦାୟୀ କରିଛି ଏବଂ ଆନ୍ଦୋଳନକୁ ହିଂସାତ୍ମକ କରିବା ନିମନ୍ତେ ମସ୍କୋ ସ୍ଥିତ ଆମେରିକା ଦୂତାବାସରେ ଷଡ଼ଯନ୍ତ୍ର ହୋଇଥିଲା ବୋଲି ବିବୃତିରେ କହିଛି। ରୁଷ୍ର ଆଭ୍ୟନ୍ତରୀଣ ମାମଲାରେ ଆମେରିକାର ଏଭଳି ହସ୍ତକ୍ଷେପକୁ ଆମେ ବରଦାସ୍ତ କରିବୁ ନାହିଁ ବୋଲି ମଧ୍ୟ ରୁଷ୍ ଚେତାବନୀ ଦେଇଛି। ଅନ୍ତର୍ଜାତୀୟ କୂଟନୀତିର ନିୟମ ଉଲ୍ଲଂଘନ କରି ଆମେରିକୀୟ କୂଟନୀତିଜ୍ଞମାନେ ରୁଷ୍ରେ ଅଶାନ୍ତି ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି ଏବଂ ଏହାକୁ ରୋକିବା ଦିଗରେ ଆମେ କଡ଼ା ପଦକ୍ଷେପ ନେବୁ ବୋଲି ଆଜି ଜାରି ବିବୃତିରେ କୁହାଯାଇଛି । ରୁଷ୍ର ରାଜଧାନୀ ମସ୍କୋ ସମେତ ବିଭିନ୍ନ ସହରରେ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍ନିଙ୍କୁ ଖଲାସ ଦାବିରେ ହିଂସାତ୍ମକ ଆନ୍ଦୋଳନ ଚାଲିଛି । ଅନେକ ବିକ୍ଷୋଭକାରୀ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ସହ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି। ଇତିମଧ୍ୟରେ ୧ ହଜାରରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି।