ମସ୍କୋ: ରାସାୟନିକ ଆକ୍ରମଣ ଘଟଣାକୁ ନେଇ ବିଶ୍ୱର ଦୁଇ ମହାଶକ୍ତି ରୁଷିଆ ଓ ବ୍ରିଟେନ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରିଟେନ୍ର ଗୁଇନ୍ଦା ଅଧିକାରୀ ଓ ତାଙ୍କ ଝିଅଙ୍କୁ ରୁଷ୍ ରାସାୟନିକ ଆକ୍ରମଣ ଦ୍ୱାରା ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରି ବ୍ରିଟିସ୍ ୨୩ଜଣ ରୁଷୀୟ କୁଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ରୁଷ୍ ମଧ୍ୟ ଅନୁରୂପ ପ୍ରତିଶୋଧ ନେଇଛି। ଆଜି ରୁଷିଆର ଭ୍ଲାଦିମିର ପୁଟିନ୍ଙ୍କ ସରକାର ୨୩ ଜଣ ବ୍ରିଟିସ୍ କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିବା ସହ ସପ୍ତାହକ ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ମାମଲାକୁ ଅଧିକ ଜଟିଳ କଲେ ଉଭୟ ଦେଶର କୂଟନୈତିକ ସମ୍ପର୍କ ଛିନ୍ନ ହେବ ବୋଲି ମଧ୍ୟ ଧମକ ଦେଇଛନ୍ତି। ଏଥି ସହିତ ରୁଷିଆରେ ଥିବା ବ୍ରିଟିସ୍ କାଉନ୍ସିଲ୍କୁ ବନ୍ଦ କରିବା ସହ ସେଣ୍ଟ ପିଟର୍ସବର୍ଗରେ ଆଉ ଏକ ବ୍ରିଟେନ୍ ଦୂତାବାସ ଖୋଲିବା ଚୁକ୍ତିକୁ ମଧ୍ୟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ରିଟେନ୍ ସରକାର କୌଣସି ପ୍ରକାର ବନ୍ଧୁତ୍ୱ ବିରୋଧୀ କାର୍ଯ୍ୟ କଲେ ରୁଷ୍ ମଧ୍ୟ କଠୋର ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବନି ବୋଲି ଆଜି ରୁଷ୍ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ବ୍ରିଟେନର ପୂର୍ବତନ ଗୁଇନ୍ଦା ଅଧିକାରୀ ସର୍ଗେଇ ସ୍କ୍ରିପାଲ ଓ ତାଙ୍କ ଝିଅ ୟୁଲିଆଙ୍କୁ ରାସାୟନିକ ଆକ୍ରମଣ ଦ୍ୱାରା ହତ୍ୟା ଉଦ୍ୟମ କରାଯିବା ଘଟଣା ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଥେରେସା ମେ’ ସିଧାସଖଳ ରୁଷ୍କୁ ଦାୟୀ କରି ୨୩ଜଣ ରୁଷୀୟ କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିଥିଲେ।