ବୁଚା ଗଣହତ୍ୟାକୁ ନିନ୍ଦା କଲା ରୁଷ, କହିଲା ଏହି ଘଟଣା ନାଜି ଅତ୍ୟାଚାରକୁ ମନେପକାଇଦେଉଛି

ମସ୍କୋ : ୟୁକ୍ରେନର ବୁଚା ଗଣହତ୍ୟାକୁ ନେଇ ସାରା ବିଶ୍ବରେ ଚିନ୍ତା ପ୍ରକାଶ ପାଇଛି । ତେବେ ଏହି ଗଣହତ୍ୟା କିଏ କରିଛି ତାହାକୁ ନେଇ ସଂଦେହ ଏବେ ବି ଅବ୍ୟାହତ ରହିଛି । ଗୋଟିଏ ପଟେ ୟୁକ୍ରେନ, ଆମେରିକା ଓ ପାଶ୍ଚାତ୍ୟ ଦେଶ ଏଥିପାଇଁ ରୁଷକୁ ଦାୟୀ କରୁଥିବାବେଳେ ଅନ୍ୟପକ୍ଷରେ ରୁଷ ଏହି ଅଭିଯୋଗକୁ ଖଣ୍ଡନ କରିଛି । ଆଜି ରୁଷ ଆଉ ଗୋଟିଏ ପାଦ ଆଗେଇଯାଇ ଏହି ଗଣହତ୍ୟାକୁ ନିନ୍ଦା କରିଛି ।

ଭାରତରେ ଥିବା ରୁଷ ଦୂତାବାସ ପକ୍ଷରୁ ଏକ ବୟାନ ଜାରି କରି ଏହାକୁ ନିନ୍ଦା କରିବା ସହ ଏହା ନାଜି ସମୟର ଗଣହତ୍ୟାକୁ ମନେ ପକାଇଦେଇଛି ବୋଲି କହିଛି । ଏହି ଘଟଣାକୁ ନେଇ ରୁଷ, ଭାରତ ଓ ବିଶ୍ବରେ ନିନ୍ଦା ପ୍ରକାଶ ପାଇଛି ବୋଲି ଦୂତାବାସ କହିଛି ।

ୟୁକ୍ରେନ ରାଜଧାନୀ କିବଠାରୁ ୩୭ କିଲୋମିଟର ଉତ୍ତର-ପୂର୍ବରେ ଥିବା ବୁଚା ସହରରେ ଏସବୁ ଗଣହତ୍ୟା ହୋଇଛି । ଏପର୍ଯ୍ୟନ୍ତ ପ୍ରାୟ ୩୦୦ ଲୋକଙ୍କ ଶବ ଚିହ୍ନଟ ହୋଇଛି । ଅଧିକାଂଶ ଲୋକଙ୍କ ହାତଗୋଡ଼ ବାନ୍ଧି ଅତି ନିକଟରୁ ଗୁଳି କରାଯାଇଛି । ଏହି ଗଣହତ୍ୟା ସମଗ୍ର ବିଶ୍ବରେ ଚହଳ ପକାଇଦେଇଛି । ଭାରତ ସମେତ ଆମେରିକା ଓ ପାଶ୍ଚାତ୍ୟ ଦେଶ ଏହାକୁ ନିନ୍ଦା କରିଛନ୍ତି । ଏଥିପାଇଁ ରୁଷକୁ ଦାୟୀ କରାଯାଉଛି କାରଣ ଗତ ପ୍ରାୟ ୧ ମାସ ହେବ ବୁଚା ରୁଷ କବଜାରେ ରହିଥିଲା । ମାତ୍ର ରୁଷ ଏହି ଘଟଣା ପଛରେ ହାତ ଥିବା କଥାକୁ ଅସ୍ବୀକାର କରିଛି ।

ସମ୍ବନ୍ଧିତ ଖବର