ମସ୍କୋ : ପୁଣି ପରମାଣୁ ଯୁଦ୍ଧର ଧମକ ଦେଇଛି ଋଷ। ଏକ ସାକ୍ଷାତକାରରେ କ୍ରେମଲିନ୍ ମୁଖପାତ୍ର ଦ୍ରିମିତ୍ରି ପେସକୋଭ୍ କହିଛନ୍ତି, ଯଦି ରୁଷର ଅସ୍ତିତ୍ବ ପ୍ରତି ବିପଦ ଆସେ, ତା’ ହେଲେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ଦେଶ ପଛାଇବ ନାହିଁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ଓ ଜନତାଙ୍କ ସୁରକ୍ଷା ପାଇଁ ଏକ ନିର୍ଦ୍ଦିଷ୍ଟ ନୀତି ରହିଛି । ଏହି ନୀତି ସାର୍ବଜନୀନ। ଯେ କେହି ଚାହିଁଲେ ତାହାକୁ ପଢ଼ିପାରିବ। ଏଥିରେ ପରମାଣୁ ଅସ୍ତ୍ର ବ୍ୟବହାରର କାରଣ ନେଇ ଉଲ୍ଳେଖ ରହିଛି । ଯଦି ରୁଷର ଅସ୍ତିତ୍ୱ ପ୍ରତି ବିପଦ ଆସେ, ତା’ହେଲେ ଏହି ନୀତି ଅନୁସାରେ ପରମାଣୁ ଅସ୍ତ୍ର ବ୍ୟବହାର କରାଯାଇପାରେ । ଋଷ ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନ୍ ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବେ କି ବୋଲି ପ୍ରଶ୍ନ କରାଯିବାରୁ ଏହି ଉତ୍ତର ପେସକୋଭ୍ ରଖିଛନ୍ତି।
President Putin has raised the threat of using nuclear weapons – and his spokesperson Dmitry Peskov refused to rule out their use, in an interview with me tonight. pic.twitter.com/uxQqncLGYN
— Christiane Amanpour (@amanpour) March 22, 2022
ଋଷ୍ ରସାୟନିକ ଓ ପରମାଣୁ ଅସ୍ତ୍ର ବ୍ୟବହାର କରିପାରେ ବୋଲି ଆମେରିକା ଓ ନାଟୋ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଥିଲା ବେଳେ ଏବେ ପେସକୋଭଙ୍କ ଏହି ବୟାନ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି ।
ରୁଷ୍-ୟୁକ୍ରେନ ଯୁଦ୍ଧ ୨୮ ଦିନରେ ପହଞ୍ଚିଥିବା ବେଳେ ଶାନ୍ତିର ସମ୍ଭାବନା ମଉଳି ଚାଲିଛି । ଏହା ଭିତରେ ରୁଷ ଯେଉଁକଥା କହିଛି, ତାହା ବେଶ୍ ଚିନ୍ତାର ବିଷୟ । ଅନ୍ୟପଟେ ୟୁକ୍ରେନର ବିଭିନ୍ନ ସହର ଉପରେ ଘନ ଘନ ମିସାଇଲ, ବୋମା ଓ ରକେଟ ମାଡ କରୁଛି ରୁଷ । ପୁଟିନ ବାହିନୀ ମାରିୟୁପୋଲ ସହର ଦଖଲ ପାଇଁ ଶକ୍ତିଶାଳୀ ବୋମାବର୍ଷା କରୁଛନ୍ତି । ରାଜଧାନୀ କିଭରେ ମଧ୍ୟ ଜୋରଦାର ଲଢ଼େଇ ଚାଲିଛି । କିଭ ସହରକୁ ରକ୍ଷା କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି ୟୁକ୍ରେନ ।