କ୍ଷେପଣାସ୍ତ୍ର କାହାର? ରେଳ ଷ୍ଟେସନ ଉପରେ ହୋଇଥିବା ଆକ୍ରମଣ ପାଇଁ ପରସ୍ପରକୁ ଦାୟୀ କଲେ ରୁଷ-ୟୁକ୍ରେନ

ନୂଆଦିଲ୍ଲୀ: କ୍ଷେପଣାସ୍ତ୍ର କାହାର? ପୂର୍ବ ୟୁକ୍ରେନରେ ଥିବା ରେଳ ଷ୍ଟେସନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବା ନେଇ ରୁଷ ମନା କରିବା ପରେ ଏବେ ଏହି ପ୍ରଶ୍ନ ସାମ୍ନାକୁ ଆସିଛି। ୟୁକ୍ରେନ ଏହି ଆକ୍ରମଣ ପାଇଁ ରୁଷକୁ ଦାୟୀ କରୁଥିବା ବେଳେ ରୁଷ କହିଛି ଯେ, ମାଡ଼ କରାଯାଇଥିବା‌ କ୍ଷେପଣାସ୍ତ୍ର ୟୁକ୍ରେନର। ଦୁଇ ଦେଶର ତୁ ତୁ ମେଁ ମେଁ ମଧ୍ୟରେ କିଏ କ୍ଷେପଣାସ୍ତ୍ର ମାଡ଼ କଲା, ତାହା ସବୁଠୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ସୂଚନା ମୁତାବକ, କିଛି ଘଣ୍ଟା ତଳେ ଖବର ମିଳିଥିଲା ପୂର୍ବ ୟୁକ୍ରେନରେ ଥିବା ରେଳ ଷ୍ଟେସନରେ ୨ଟି କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷ। ଏହି କ୍ଷେପଣାସ୍ତ୍ର ମାଡ଼ରେ ୩୦ଜଣ ମୃତ୍ୟୁ ହୋଇଥିବା ବେଳେ ୧୦୦ଜଣ ଆହତ ହୋଇଛନ୍ତି। ତେବେ କ୍ଷେପଣାସ୍ତ୍ର ମାଡ଼ରେ ରୁଷର କୌଣସି ହାତ ନଥିବା ସ୍ପଷ୍ଟ କରି ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ରେଳ ଷ୍ଟେସନ ଉପରେ ହୋଇଥିବା ଆକ୍ରମଣ ପାଇଁ ରୁଷକୁ ଦାୟୀ କରିବା ଉଚିତ୍ ନୁହେଁ। ୟୁକ୍ରେନର ଏଭଳି ଦାବି ସମ୍ପୂର୍ଣ୍ଣ ମିଛ। ହିଂସାକୁ ବଢ଼ାଇବା ପାଇଁ ୟୁକ୍ରେନ ଏଭଳି ମିଛ କହୁଛି। ରେଳ ଷ୍ଟେସନ ଉପରେ ମାଡ଼ ହୋଇଥିବା କ୍ଷେପଣାସ୍ତ୍ର କେବଳ ୟୁକ୍ରେନ ସଶସ୍ତ୍ର ବାହିନୀ ବ୍ୟବହାର କରେ। ତେବେ ଏଭଳି ଦାବି କରି ରୁଷ ଏବେ ୟୁକ୍ରେନ ଆଡ଼କୁ ଆଙ୍ଗୁଠି ଉଠାଇଛି।

indiatoday

ଅନ୍ୟପକ୍ଷରେ ୟୁକ୍ରେନୀୟ ସହରଗୁଡ଼ିକରେ ଆକ୍ରମଣ କରିବା ବେଳେ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇ ରୁଷ୍‌ ବିପୁଳ ସୈନ୍ୟ ହରାଇଥିବା କଥା ସ୍ବୀକାର କରିଛି। ‘ସ୍କାଏ ନିଉଜ୍‌’ ସହିତ ଆଳାପ ବେଳେ କ୍ରେମ୍‌ଲିନ୍‌ ମୁଖପାତ୍ର ଦିମିତ୍ରି ପେସ୍‌କୋଭ୍‌ ଦୁଃଖ ପ୍ରକାଶ କରି କହିଛନ୍ତି, ଆମେ ଉଲ୍ଲେଖନୀୟ ସଂଖ୍ୟକ ସୈନ୍ୟ ହରାଇଛୁ। ଏହା ଆମ ପାଇଁ ବଡ଼ ଦୁଃଖଦ ଘଟଣା।

ସମ୍ବନ୍ଧିତ ଖବର