ଭାରତ-ଚୀନ ବିବାଦରେ ମୁଣ୍ଡ ପୁରାଇବ ନାହିଁ ଋଷିଆ : ଋଷୀୟ ସାଂସଦ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦରେ କୌଣସି ହସ୍ତକ୍ଷେପ କରିବାକୁ ଚାହୁଁନାହିଁ ଋଷିଆ । କିନ୍ତୁ ଏହି ବିବାଦ ଯଦି ଯୁଦ୍ଧ ଆଡ଼କୁ ଗତି କରେ ତେବେ ଋଷିଆ ଦୁଇପକ୍ଷ ମଧ୍ୟରେ ଏକ ମଧ୍ୟସ୍ଥିପରି ରହି ବିବାଦର ସମାଧାନ କରିବାକୁ ଉଦ୍ୟମ କରିବ ବୋଲି ଜଣେ ଋଷୀୟ ସାଂସଦ କହିଛନ୍ତି ।


ଭାରତୀୟ ସାମ୍ବାଦିକମାନଙ୍କ ସହ ଭିଡିଓକନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ବୈଦେଶିକ ବ୍ୟାପାର ସମ୍ପର୍କିତ ଋଷିଆର ଫେଡେରେସନ କାଉନସିଲ କମିଟିର ସଭାପତି କନଷ୍ଟାଣ୍ଟିନ କୋସାଚେଭ କହିଛନ୍ତି ଯେ ଆମେ ଉଭୟ ଭାରତ ଓ ଚୀନର ସାର୍ବଭୌମତ୍ୱକୁ ସମ୍ମାନ ଜଣାଉ । ଆପୋସ ଆଲୋଚନା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦର ସମାଧାନ କରିହେବ । ଏଣୁ ଋଷିଆ ଏହି ବିବାଦରେ କୌଣସି ହସ୍ତକ୍ଷେପ କରିବା ଚାହେଁନାହିଁ । କିନ୍ତୁ ଏହି ବିବାଦ ଯଦି ଯୁଦ୍ଧ ଆଡ଼କୁ ଯାଏ ତେବେ ସେଥିରେ ହସ୍ତକ୍ଷେପ କରିବାକୁ ହେବ ।
ସେ କହିଛନ୍ତି ଯେ ଉଭୟ ଚୀନ ଓ ଭାରତ ଋଷିଆର ବନ୍ଧୁରାଷ୍ଟ୍ର । ଏଣୁ ଦୁଇଦେଶ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରନ୍ତୁ ବୋଲି ମସ୍କୋ ଚାହେଁ ।
ଭାରତ ଆଫଗାନିସ୍ତାନର ପଡ଼ୋଶୀ ରାଷ୍ଟ୍ର ହୋଇଥିବାରୁ ଆଫଗାନ ଶାନ୍ତି ପ୍ରକ୍ରିୟାରେ ଭାରତର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତ ଯେପରି ଆଫଗାନିସ୍ତାନରେ ବଡ଼ ଭୂମିକା ନିଭାଏ ତାହା ଋଷିଆ ଉଦ୍ୟମ କରିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର