ମସ୍କୋ: ହ୍ୱାଇଟ୍ ହାଉସ୍‌ରେ ଡୋନାଲ୍ଡ ଟ୍ରମ୍ପ ଓ ବୋଲଡିମିର ଜେଲେନସ୍କିଙ୍କ ମଧ୍ୟରେ ହୋଇଥିବା ଉଚ୍ଚବାଚକୁ ନେଇ ରୁଷ୍ ଶୁକ୍ରବାର ଉଲ୍ଲାସର ସହ ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ୟୁକ୍ରେନ ନେତା ଯାହା ପାଇବାକୁ ଯୋଗ୍ୟ ତାହା ପାଇଛନ୍ତି। ରୁଷ୍‌ର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେଭ କହିଛନ୍ତି ଯେ ଜେଲେନସ୍କି ଆମେରିକା ପ୍ରତି ଅପମାନଜନକ ବ୍ୟବହାର କରିଥିବା ନେଇ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଏକ ଶକ୍ତ ଚାପୁଡ଼ା। ରୁଷ୍‌ର ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଥିବା ମେଦ୍‌ଭେଦେଭ ଟେଲିଗ୍ରାମ୍‌ରେ ଲେଖିଛନ୍ତି, ଓଭାଲ ଅଫିସରେ ତାଙ୍କୁ ଭଲ ଭାବେ ନଗ୍ନ କରାଯାଇଛି।

Advertisment

ଜେଲେନସ୍କିଙ୍କ ଆଚରଣକୁ ରୁଷ୍ ବୈଦେଶିକ ମନ୍ତ୍ରଣାଳୟର ନିନ୍ଦା

ରୁଷ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା କହିଛନ୍ତି, ଏହା ଏକ ଚମତ୍କାର ଯେ ଟ୍ରମ୍ପ ଓ ଭାନ୍ସ ଏହି ଯୁକ୍ତିତର୍କ ସମୟରେ ଜେଲେନସ୍କିଙ୍କୁ ମାଡ଼ ମାରିବାରୁ ନିଜକୁ ରୋକିଥିଲେ। ସେ କହିଛନ୍ତି, ଜେଲେନସ୍କି ତାଙ୍କୁ ଖାଇବାକୁ ଦେଉଥିବା ହାତକୁ କାମୁଡ଼ିଛନ୍ତି। କଠୋର ଜାତୀୟତାବାଦୀ ଟିଭି ଭାଷ୍ୟକାର ଭ୍ଲାଦିମିର ସୋଲୋଭିଭ ‘ହ୍ୱାଇଟ୍ ହାଉସରେ ଜେଲେନସ୍କିଙ୍କ ଆତ୍ମହତ୍ୟା’ ଶୀର୍ଷକ ଏକ ସ୍ୱତନ୍ତ୍ର ସୋ’ ଘୋଷଣା କରିଛନ୍ତି। ମେଦ୍‌ଭେଦେଭ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଜେଲେନସ୍କି ଓ କିବ୍ ପ୍ରଶାସନ ତୃତୀୟ ବିଶ୍ୱଯୁଦ୍ଧ ସହିତ ଖେଳୁଛି ବୋଲି ଏବେ ପୂରା ବିଶ୍ବ ଜାଣିଯାଇଛି। ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କରିବାକୁ ସେ ଆହ୍ୱାନ ଦେଇଥିଲେ, ଯାହାକୁ ମସ୍କୋ ଦୀର୍ଘ ଦିନ ଧରି ଦାବି କରି ଆସୁଛି। ମସ୍କୋ ଏବଂ ୱାସିଂଟନ ମଧ୍ୟରେ ଦ୍ରୁତ ସମନ୍ୱୟ ୟୁକ୍ରେନ ଓ ଏହାର ୟୁରୋପୀୟ ସହଯୋଗୀମାନଙ୍କୁ ଚିନ୍ତାରେ ପକାଇଛି। ସେମାନେ ଭୟ କରୁଛନ୍ତି ଯେ ଟ୍ରମ୍ପ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚୁକ୍ତି କରିପାରନ୍ତି ଯାହା ସେମାନଙ୍କୁ ବାଦ୍ ଦେଇପାରେ ଏବଂ ସେମାନଙ୍କ ସୁରକ୍ଷାକୁ ଦୁର୍ବଳ କରିପାରେ।

ପୁଟିନ୍ ବାରମ୍ବାର କହୁଛନ୍ତି ଯେ ଜେଲେନସ୍କି ଜଣେ ବୈଧ ନେତା ନୁହନ୍ତି କାରଣ ତାଙ୍କର ପାଞ୍ଚବର୍ଷର କାର୍ଯ୍ୟକାଳ ଗତବର୍ଷ ଶେଷ ହୋଇଛି। ଫେବ୍ରୁଆରି ୨୦୨୨ରେ ପୂର୍ଣ୍ଣଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନ ସାମରିକ ଆଇନ ଅଧୀନରେ ଥିବାରୁ ନିର୍ବାଚନ କରାଇବାରେ ଅସମର୍ଥ ହୋଇଛି। ଗତ ସପ୍ତାହରେ ଟ୍ରମ୍ପ ପୁଟିନଙ୍କ ବୟାନକୁ ସମର୍ଥନ କରି ଜେଲେନସ୍କିଙ୍କୁ ‘ନିର୍ବାଚନବିହୀନ ଏକଛତ୍ରବାଦୀ’ ବୋଲି ବର୍ଣ୍ଣନା କରିଥିଲେ। କ୍ରେମଲିନର ପୂର୍ବତନ ପରାମର୍ଶଦାତା ସେର୍ଗେଇ ମାର୍କୋଭ କହିଛନ୍ତି ଯେ ଓଭାଲ ଅଫିସ୍ କାଣ୍ଡ ଜେଲେନସ୍କିଙ୍କ ରାଜନୈତିକ କ୍ୟାରିୟରର ଅନ୍ତକୁ ତ୍ୱରାନ୍ୱିତ କରିବାର ସମ୍ଭାବନା ରହିଛି। ସେ ଯଥାଶୀଘ୍ର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଦେବା ଉଚିତ।