ନୂଆଦିଲ୍ଲୀ: ସରକାରଙ୍କ ଯୋଜନା ସଫଳ ହେଲେ ଭାରତରେ ନିର୍ମାଣ ହେବ ବିଶ୍ୱର ସବୁଠୁ ଶକ୍ତିଶାଳୀ ଆସଲ୍ଟ ରାଇଫଲ କୁହାଯାଉଥିବା କାଲାସନିକୋଭ୍ । ଏ ନେଇ ଋଷିଆ ସରକାର ଦେଇଥିବା ପ୍ରସ୍ତାବକୁ ଭାରତ ସରକାର ରାଜି ହୋଇଥିବା ଜଣାଯାଇଛି । ଗତ ବର୍ଷ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗ୍ରସ୍ତ କାଳରେ ଏ ନେଇ ଆଲୋଚନା ହୋଇଥିଲା । ସେବେଠାରୁ ଏ ପର୍ଯ୍ୟନ୍ତ ଦୁଇଦେଶ ମଧ୍ୟରେ ୫ ରାଉଣ୍ଡର କଥାବାର୍ତ୍ତା ହୋଇଯାଇଛି । ଗତ ସପ୍ତାହରେ ଭାରତ ଗ୍ରସ୍ତରେ ଆସିଥିବା ଋଷୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଏ ସଂପର୍କରେ ଆଲୋଚନା ଜାରି ରଖିଛି ।
ଗତ ବର୍ଷ ଋଷିଆ ତରଫରୁ ଭାରତ ସରକାରଙ୍କୁ କାଲାସନିକୋଭ-୧୦୩ ରାଇଫଲ ଭାରତରେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଭାରତୀୟ ସେନାର ଆବଶ୍ୟକତା ସହ ଏହି ରାଇଫଲ ମେଳ ଖାଉନଥିବାରୁ ସରକାର ଏ ନେଇ ବିଶେଷ ଆଗ୍ରହ ଦେଖାଇନଥିଲେ । କିନ୍ତୁ ଏ ବର୍ଷ ସେନା ୭.୬୨ କାଲିବର ଆସଲ୍ଟ ରାଇଫଲ ନିମନ୍ତେ ବରାଦ ଦେବାରୁ ଏହି ପ୍ରସ୍ତାବ ଆଗକୁ ବଢିଥିଲା । ଯୋଜନା ଅନୁସାରେ ଭାରତ ସରକାରଙ୍କ ତରଫରୁ ଏକ ବୈଷୟିକ ଦଳ ଖୁବଶୀଘ୍ର ଋଷିଆ ଗ୍ରସ୍ତରେ ଯାଇ କାଲାସନିକୋଭ କାରଖାନାର ପର୍ଯ୍ୟବେକ୍ଷଣ କରିବେ । ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଅର୍ଡିନାନ୍ସ ଫାକ୍ଟରୀ ବୋର୍ଡ ସହବନ୍ଧନରେ ଏହି କାରଖାନା ପ୍ରତିଷ୍ଠା କରାଯିବ । ଏହି କାରଖାନାରେ ବିଭିନ୍ନ କାଲିବରର ଏକେ ସିରିଜ୍ର ବିଭିନ୍ନ ରାଇଫଲ ନିର୍ମାଣ କରାଯିବ । କେବଳ ସେନା ନୁହେଁ ସିଆରପିଏଫ, ବିଏସଏଫ ପରି ଅର୍ଦ୍ଧସାମରିକ ବାହିନୀକୁ ମଧ୍ୟ କାଲାସନିକୋଭ ( ଏକେ୪୭, ଏକେ ୫୬, ଏକେ ୧୦୩ ଆଦି) ପ୍ରଦାନ କରାଯିବ । ଏହା ଦ୍ୱାରା ସୁରକ୍ଷା ବାହିନୀର ଶକ୍ତି ଓ ଆକ୍ରମଣ କ୍ଷମତା ବୃଦ୍ଧି ପାଇବ ।