ଦମ୍‌ ଦେଖାଇଲା ଋଷିଆ : ସବ୍‌ମେରିନ୍‌ରୁ ଛାଡ଼ିଲା ପରମାଣୁ କ୍ଷମତାସଂପନ୍ନ ମିସାଇଲ୍‌

ନୂଆଦିଲ୍ଲୀ : ପୁଣି ଥରେ ଦମ୍‌ ଦେଖାଇଛି ଋଷିଆ । ମଙ୍ଗଳବାର ସବ୍‌ମେରିନ୍‌ରୁ ୪ଟି ଇଣ୍ଟରକଣ୍ଟିନେଣ୍ଟାଲ ନିଉକ୍ଲିଅର ବୁଲାଭା ମିସାଇଲର ପରୀକ୍ଷଣ କରିଛି । ଏହି ପରୀକ୍ଷଣଟି ହ୍ଵାଇଟ୍‌ ସିରେ ହୋଇଥିବା ବେଳେ ଏହି ପରୀକ୍ଷଣଟି ସଫଳ ହୋଇଛି । ଏହି ସବ୍‌ମେରିନ୍‌ରୁ ବାଲିଷ୍ଟିକ୍‌ ମିସାଇଲ୍‌ ବୁଲାଭାକୁ ଲଞ୍ଚ କରାଯାଇଛି। ଏହା ୧୦୦-୧୫୦ କିଲୋଟନ୍‌ର ୧୦ଟି ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା ସହ ୮,୩୦୦କି.ମି ପର୍ଯ୍ୟନ୍ତ ଲକ୍ଷସ୍ଥଳ ଭେଦ କରି ପାରିବ ବୋଲି ଜଣାପଡ଼ିଛି ।

ଏହା ପୂର୍ବରୁ ସବ୍‌ମେରିନ୍‌ ଉରୀ ଦୋଲ୍‌ଗୋରୁକିଆରୁ ମେ ୨୨ରେ ହ୍ଵାଇଟ୍‌ ସି ମଧ୍ୟରେ ଏକ ସଫଳ ପରୀକ୍ଷଣ କରିଥିଲା । ଏହି ପରୀକ୍ଷଣ ସଫଳ ହେବା ପରେ ଋଷର କ୍ଷମତା ବଢ଼ିଛି । ଏହା ଅଧିକ କ୍ଷମତା ସଂପନ୍ନ ଏବଂ କୌଣସି ଯୁଦ୍ଧକାଳୀନ ପରିସ୍ଥିତି ପାଇଁ ଏହା ଲାଭଦାୟକ ବୋଲି ପରୀକ୍ଷଣରୁ ସ୍ପଷ୍ଟ ହୋଇଛି । ଏହି ପରୀକ୍ଷଣ ସମୟର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଛଡ଼ା ଯାଇଛି । ଉରୀ ଦୋଲ୍‌ଗୋରୁକିଆ ସବ୍‌ମେରିନ୍‌କୁ ୨୦୧୪ରେ କାର୍ଯ୍ୟରେ ଲଗାଯାଇଥିବା ବେଳେ ୨୦୧୬ ଜୁନ୍‌ ୨୬ରେ ବରେଣ୍ଟ ସିରେ ଇଣ୍ଟରକଣ୍ଟିନେଣ୍ଟାଲ ନିଉକ୍ଲିଅର ବୁଲାଭା ମିସାଇଲର ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ କରାଯାଇଥିବା ବୁଲାଭା ମିସାଇଲର ଲମ୍ବ ୧୨.୧ ମିଟର ହୋଇଥିବା ବେଳେ ଓଜନ ୩୬,୮୦୦କିଲୋଗ୍ରାମ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର