ରୁଷ୍‌ର ୭୫ ହଜାର ସୈନିକ ଆକ୍ରମଣ ମୁଦ୍ରାରେ

ସାଂଘାତିକ ପରିଣାମ ଭୋଗିବ ରୁଷ୍‌: ହାରିସ୍‌

ମସ୍କୋ : ୟୁକ୍ରେନ୍‌ ସଙ୍କଟ ଦିନକୁ ଦିନ ଘନେଇବା‌ରେ ଲାଗିଛି। ୟୁକ୍ରେନ୍‌ ସୀମାରେ ରୁଷ୍‌ ସେନାବାହିନୀର ପ୍ରାୟ ୭୫ ହଜାର ସୈନିକ ସିଧାସଳଖ ଭାବେ ଆକ୍ରମଣ ସ୍ଥିତିରେ ରହିଛନ୍ତି ବୋଲି ଆମେରିକା ଦାବି କରିଛି ଏବଂ ଏହାର ଜବାବ ଦେବାକୁ ୟୁକ୍ରେନ୍‌ ମଧ୍ୟ ତୟାର ରହିଛି। ସୀମା ନିକଟରେ ପାଖାପାଖି ୨ ଲକ୍ଷ ରୁଷ୍‌ ସୈନିକ ମୁତୟନ ହୋଇଛନ୍ତି। ୟୁକ୍ରେନ ସୀମାରେ ରୁଷ୍‌ ୧୨୫ ବାଟାଲିଅନ ଟାକ୍ଟିକାଲ୍‌ ଗ୍ରୁପ୍‌ ମୁତୟନ କରିଛି। ସାଧାରଣ ସମୟରେ ଏହା ୬୦ ବାଟାଲିଅନ ଟାକ୍ଟିକାଲ୍‌ ଗ୍ରୁପ୍‌ ମୁତୟନ କରିଥାଏ। ଆମେରିକା ଉପରାଷ୍ଟ୍ରପତି କମଳା ହାରିସ୍‌ ରୁଷ୍‌କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ରୁଷ୍‌ ୟୁକ୍ରେନ୍‌ ଆକ୍ରମଣ କରେ ତେବେ ଏହା ସାଂଘାତିକ ପରିଣାମ ଭୋଗିବ। ଜର୍ମାନୀରେ ବାର୍ଷିକ ମୁନିଚ ସୁରକ୍ଷା ସମ୍ମିଳନୀରେ ଯୋଗ ଦେଇ ହାରିସ କହିଛନ୍ତି, ଯଦି ରୁଷ୍‌ ଏକ ସଙ୍ଗରେ ୟୁକ୍ରେନ୍‌ , ଆମେରିକା ଏବଂ ଆମ ସହଯୋଗୀଙ୍କୁ ଆକ୍ରମଣ କରେ ତେବେ ଏହା ଅତି ସାଂଘାତିକ ଆର୍ଥିକ ପରିଣାମ ଭୋଗିବ। ହାରିସ କହିଛନ୍ତି, ବାଇଡେନ୍‌ ପ୍ରଶାସନ ଏବଂ ଏହାର ସହଯୋଗୀ ରାଷ୍ଟ୍ର ମସ୍କୋ ସହ କୂଟନୈତିକ ସମାଧାନ ଚାହାନ୍ତି କିନ୍ତୁ ରୁଷ୍‌ ଏ ଦିଗରେ ବାଧା ସୃଷ୍ଟି କରିଛି ଏବଂ ଆଲୋଚନା ବାଟ ବନ୍ଦ କରୁଛି।

ସମ୍ବନ୍ଧିତ ଖବର