ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଛି। ୩୦ ଲକ୍ଷ ୭ ହଜାର ୧୯୪ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୨ଲକ୍ଷ ୭ ହଜାର ୨୬୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ କରୋନା ମାମଲାରେ ରୁଷ୍ ଚୀନ୍କୁ ଟପିଯାଇଛି। ରୁଷ୍ରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭,୦୦୦ରେ ପହଞ୍ଚିଛି। ରୁଷ୍ରେ ସୋମବାର ଦିନ ୬,୧୯୮ ନୂଆ ମାମଲା ସ୍ପଷ୍ଟ ହୋଇଥିବା ବେଳେ ଏହାର ପୂର୍ବଦିନ ୬,୩୬୧ ମାମଲା ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷେ ଚୀନ୍ରେ ଏବେ ସମୁଦାୟ କରୋନା ଆକ୍ରାନ୍ତ ସଂଖ୍ୟା ୮୨ ହଜାର ୮୩୦ ରହିଛି। ତେବେ ରୁଷ୍ରେ ମୃତ୍ୟୁସଂଖ୍ୟା ୭୯୪ରେ ପହଞ୍ଚିଛି। ରୁଷ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ମୃତ୍ୟୁ ହୋଇଛି। କରୋନା ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ରାଷ୍ଟ୍ର ଆମେରିକାରେ ଏବେ ମୃତ୍ୟୁସଂଖ୍ୟା ପୂର୍ବ ଦିନଗୁଡ଼ିକ ତୁଳନାରେ କମିଯାଇଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଛୁଇଁବ। ୯ ଲକ୍ଷ ୮୭ ହଜାର ୩୨୨ ଜଣ ଆମେରିକାରେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୫୫ ହଜାର ୪୧୫ରେ ପହଞ୍ଚିଛି। ସେପଟେ ସ୍ପେନ୍ରେ ବି ମୃତ୍ୟୁସଂଖ୍ୟା କମିଛି। ସ୍ପେନ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୧ ନୂଆ ମୃତ୍ୟୁ ହୋଇଛି। ଏଥିରେ ସ୍ପେନ୍ରେ ସମୁଦାୟ ମୃତ୍ୟୁସଂଖ୍ୟା ୨୩ ହଜାର ୫୨୧ରେ ପହଞ୍ଚିଛି। ନ୍ୟୁୟର୍କରେ ମଧ୍ୟ କରୋନା ମୃତ୍ୟୁସଂଖ୍ୟା କମିଛି। ଆମେରିକାର ହଟ୍ସ୍ପଟ୍ କୁହାଯାଇଥିବା ନ୍ୟୁୟର୍କରେ ଚଳିତ ମାସ ପ୍ରଥମ ଥର ପାଇଁ ମୃତ୍ୟୁସଂଖ୍ୟା ୪୦୦ରୁ କମ୍ ରହିଛି। ନ୍ୟୁୟର୍କରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଥର ପାଇଁ ନ୍ୟୁୟର୍କରେ କରୋନା ମୃତ୍ୟୁସଂଖ୍ୟା ୪୦୦ରୁ କମ୍ ରହିଛି। ଏନ୍ୱାଇପିଡି (ନ୍ୟୁୟର୍କ ପୁଲିସ ବିଭାଗ)ର ୩୭ ଜଣ ସଦସ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୨୬ ହଜାର ୬୪୪ରେ ପହଞ୍ଚିଥିବା ବେଳେ ଫ୍ରାନ୍ସରେ ୨୨ ହଜାର ୮୫୬ ରହିଛି। ବ୍ରିଟେନ୍ରେ ବି କରୋନା ମୃତ୍ୟୁସଂଖ୍ୟା ୨୦ ହଜାର ୭୩୨ରେ ପହଞ୍ଚିଛି। ସିଙ୍ଗାପୁରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୪୨୩ରେ ପହଞ୍ଚିଛି।
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କରୋନାରୁ ମୁକ୍ତ ହେବାପରେ ଆଜି ପ୍ରଥମ ଥର ପାଇଁ କାର୍ଯ୍ୟାଳୟକୁ ଫେରିଛନ୍ତି। ତେବେ ବ୍ରିଟେନ୍ରେ ଲକ୍ଡାଉନ୍ କୋହଳ କଲେ ଭୟଙ୍କର ସ୍ଥିତି ଉପୁଯିବ ବୋଲି ଜନସନ୍ ଚେତାବନୀ ଦେଇଛନ୍ତି। ବ୍ରିଟେନ୍ରେ ଯଦି କଟକଣା କୋହଳ ହୁଏ ତେବେ ଚଳିତ ବର୍ଷ ଶେଷ ଆଡ଼କୁ ବ୍ରିଟେନ୍ରେ ମୃତ୍ୟୁସଂଖ୍ୟା ୧ଲକ୍ଷ ଟପିଯିବ ବୋଲି ଦେଶର ଜଣେ ପ୍ରମୁଖ ମହାମାରୀ ରୋଗ ବିଶେଷଜ୍ଞ କହିଛନ୍ତି। ଜର୍ମାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୫୮ ହଜାରରେ ପହଞ୍ଚିଛି। କରୋନା ମୁକାବିଲା ପାଇଁ ଚୀନ୍ ଜର୍ମାନୀକୁ ୧୦ ନିୟୁତ ମାସ୍କ ଦେଇଛି।