କିବ୍: ରୁଷ୍ର ପ୍ରଥମ ପର୍ଯ୍ୟାୟ ଅପରେସନ୍ ପ୍ରାୟ ଶେଷ ହୋଇଛି। ରୁଷ୍ ବାହିନୀ ୟୁକ୍ରେନ୍ର ଦକ୍ଷିଣ ଭାଗକୁ ଛାରଖାର କରିବା ସହ ଉତ୍ତର ୟୁକ୍ରେନ୍ର ପ୍ରମୁଖ ସହର ଚେର୍ନିହିବ୍କୁ ଏକପ୍ରକାର ମାଟିରେ ମିଶାଇ ଦେଇଛନ୍ତି। ୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଐତିହାସିକ ସହର ପୂରା ନଷ୍ଟ ହୋଇଯାଇଛି ଏବଂ ଭୂତ ସହର ପାଲଟିଯାଇଛି। ସହରରେ ଏବେ ଯେତିକି ଘର ଧ୍ବଂସରୁ ବର୍ତ୍ତି ଯାଇଛି ତାହା ହାତଗଣତି ବୋଲି ମେୟର ଭ୍ଲାଡିସ୍ଲାଭ୍ ଆଥ୍ରୋସେଙ୍କୋ କହିଛନ୍ତି। ମୋଟ୍ ଉପରେ ରୁଷ୍ ୟୁକ୍ରେନରେ ଚାରିପଟୁ ଆକ୍ରମଣ ଜାରି ରଖିଛି। ଚେର୍ନିହିବକୁ ସଂପୂର୍ଣ୍ଣ ଧ୍ବଂସ କରିବା ପାଇଁ ରୁଷ୍ ଯୋଜନାବଦ୍ଧ ଭାବେ ଆକ୍ରମଣ କରୁଥିଲା ଏବଂ ଆଜି ଏହି ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେଇଛି। ଚେର୍ନିହିବରେ ମାରିୟୁପୋଲ୍ଠାରୁ ବି ସାଂଘାତିକ ସ୍ଥିତି ଉପୁଜିଛି। ସହର ୯୫ ପ୍ରତିଶତ ଖାଲି ହୋଇଯାଇଥିବା ବେଳେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ଖାଦ୍ୟ, ପାଣି, ବିଦ୍ୟୁତ ଓ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ନାହିଁ। ଚେର୍ନିହିବରେ ଲଗାତାର ବୋମାବର୍ଷା ହେଉଛି। ମାରିୟୁପୋଲ୍ ପରି ଚେର୍ନିହିବରେ ବି ଅତ୍ୟାବଶ୍ୟକ ଔଷଧ ଶେଷ ହୋଇଆସିଛି ଏବଂ ପରିସ୍ଥିତି ଅତି ଭୟାନକ ବୋଲି ମେୟର କହିଛନ୍ତି। ରୁଷ୍ ସୈନିକ ଦେସନା ନଦୀ ଉପରେ ଥିବା ଚେର୍ନିହିବର ମୁଖ୍ୟ ବ୍ରିଜ୍ ଭାଙ୍ଗି ଦେଇଛନ୍ତି। ଫଳରେ ଚେର୍ନିହିବରେ ରହିଯାଇଥିବା ଲୋକେ ବାହାରକୁ ଯିବା ଜଟିଳ ହୋଇଯାଇଛି ଏବଂ ସେମାନଙ୍କ ନିକଟରେ ମାନବୀୟ ସହାୟତା ବି ପହଞ୍ଚିପାରୁନି।
ପଶ୍ଚିମ ୟୁକ୍ରେନ୍ର ଲଭିବ୍ ସହରରେ ଆଜି ରାତିରେ ରୁଷ୍ କ୍ଷେପଣାସ୍ତ୍ର ମାଡ଼ କରିଛି। ସହରରେ ୩ ଥର ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା । ଏହି ସହର ପୋଲାଣ୍ଡ ସୀମା ନିକଟବର୍ତ୍ତୀ ଏବଂ ୟୁକ୍ରେନ୍କୁ ବାହ୍ୟ ଯୋଗାଣର ମୁଖ୍ୟ ମାଧ୍ୟମ। ଆମେରିକା ରାଷ୍ଟ୍ରପତି ପୋଲାଣ୍ଡ ଗସ୍ତ ସାରି ଆଜି ଯିବା ମାତ୍ରେ ରୁଷ ଏଭଳି ଆକ୍ରମଣ କରି ଆମେରିକା ଓ ନାଟୋକୁ କଡ଼ା ବାର୍ତ୍ତା ଦେଇଥିବା କୁହାଯାଉଛି ।