ବ୍ରିଟେନ୍‌, ଇଟାଲିକୁ ଟପିଗଲା ରୁଷ୍, ବ୍ରାଜିଲ୍‌ରେ ମୃତ୍ୟୁସଂଖ୍ୟା ୧୧ ହଜାର ଟପିଲା

ବ୍ରିଟେନ୍‌ରେ ଜୁନ୍‌ ୧ ଯାଏଁ ବଢ଼ିଲା ଲକ୍‌ଡାଉନ୍‌, ଘାନାରେ ଜଣଙ୍କ ପାଇଁ ୫୩୩ ଜଣ ସଂକ୍ରମିତ

ନୂଆଦିଲ୍ଲୀ: ରୁଷ୍‌ରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣ ମାମଲାରେ ବ୍ରିଟେନ୍‌ ଏବଂ ଇଟାଲିକୁ ଟପିଯାଇଛି ରୁଷ୍‌। ବିଶ୍ବରେ ସର୍ବାଧିକ ସଂକ୍ରମଣ ଥିବା ରା‌ଷ୍ଟ୍ର ଭାବେ ରୁଷ୍‌ ଏବେ ତୃତୀୟ ସ୍ଥାନରେ ରହିଛି। ଆମେରିକା ଏବଂ ସ୍ପେନ୍‌ ପରେ ରୁଷ୍‌ରେ ସର୍ବାଧିକ ସଂକ୍ରମଣ ରହିଛି। ୨୪ ଘଣ୍ଟା‌ ମଧ୍ୟରେ ରୁଷ୍‌ରେ ପୁଣି ୧୧ହଜାର ୬୫୬ ମାମଲା ରେକର୍ଡ କରାଯାଇଛି ଏବଂ ଦେଶରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୨୧ହଜାର ୩୪୪ରେ ପହଞ୍ଚିଛି। ରୁଷ୍‌ରେ ମୃତ୍ୟୁସଂଖ୍ୟା ୨ ହଜାର ଟପିଛି। ଖୁବ୍‌ କମ୍‌ ଦିନ ମଧ୍ୟରେ ରୁଷ୍‌ ଇଟାଲି ଏବଂ ବ୍ରି‌ଟେନ୍‌କୁ ଟପିଯିବା ଖୁବ୍‌ ଚିନ୍ତାଜନକ ହୋଇଛି। ରୁଷ୍‌ ରାଜଧାନୀ ମସ୍କୋ ଭାଇରସ୍‌ର କେନ୍ଦ୍ରସ୍ଥଳ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍‌ରେ କେବଳ ୬୧୬୯ ମାମଲା ରେକର୍ଡ କରାଯାଇଛି ଏବଂ ମସ୍କୋ‌ରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୫ ହଜାର ୯୦୯ ରହିଛି। କିନ୍ତୁ ୱାର୍ଲଡ୍‌ମିଟର ତଥ୍ୟ ଆଧାରରେ ସର୍ବାଧିକ ସଂକ୍ରମଣ ମାମଲାରେ ବ୍ରିଟେନ୍‌ ଏବେ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ବ୍ରିଟେନ୍‌ରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୨୩ହଜାର ୬୦ ରହିଛି। ତେବେ ଆମେରିକାରେ ପୂର୍ବଦିନ ଅପେକ୍ଷା ଗତକାଲି ମୃତ୍ୟୁସଂଖ୍ୟା କମ୍‌ ରହିଛି। ବିଶ୍ବରେ ସବୁଠୁ କ୍ଷତିଗ୍ରସ୍ତ ରାଷ୍ଟ୍ର ଆମେରିକାରେ ମୃତ୍ୟୁସଂଖ୍ୟା ପୂର୍ବ ମାସ ଅପେକ୍ଷା କମ୍‌ ରହିଛି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୬ ଜଣଙ୍କ ମୃତ୍ୟୁ ହୋଇଛି । ମାର୍ଚ୍ଚ ମାସ ପରେ ଆମେରିକାରେ ୨୪ ଘଣ୍ଟା‌ ମଧ୍ୟରେ ଏହା ସବୁଠାରୁ କମ୍‌ ମୃତ୍ୟୁ। ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୮୦ହଜାର ୭୮୭ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୬୭ ହଜାର ୯୬୩ ରହିଛି। ଆମେରିକା ପରେ ସ୍ପେନ୍‌ରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୬୪ ହଜାର ୬୬୩ ରହିଛି ଏବଂ ମୃତ୍ୟୁସଂଖ୍ୟା ୨୬ହଜାର ୬୨୧ ରହିଛି। ସ୍ପେନ୍‌ ପଛକୁ ରହିଛି ରୁଷ୍‌। ବିଶ୍ବବ୍ୟାପୀ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୪୨ଲକ୍ଷ ୮ହଜାର ଟପିଛି ଏବଂ ୨ଲକ୍ଷ ୮୪ ହଜାର ୩୯୮ ଜଣଙ୍କ ମୃତ୍ୟୁ ହୋଇଛି।

ବ୍ରିଟେନ୍‌ରେ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ଲକ୍‌ଡାଉନ୍‌କୁ ଜୁନ୍‌ ୧ ଯାଏଁ ବଢ଼ାଇ ଦିଆଯାଇଛି। ବ୍ରିଟେନ୍‌ରେ କମ୍‌ ଦରମାପ୍ରାପ୍ତ କର୍ମଚାରୀଙ୍କର କରୋନାରେ ଅଧିକ ମୃତ୍ୟୁ ହେଉଥିବା ଜଣାପଡ଼ିଛି। ବ୍ରିଟେନ୍‌ର ଜାତୀୟ ପରିସଂଖ୍ୟାନ ସଂସ୍ଥାନ ପକ୍ଷରୁ ଏହା କୁହାଯାଇଛି ଯେ ଯେଉଁମାନେ ସୁରକ୍ଷାକର୍ମୀ ଭାବେ ନିଯୁକ୍ତ ହୋଇଛନ୍ତି ଏବଂ ବସ୍‌, ଟ୍ୟାକ୍ସି, କୋଚ୍‌ ଡ୍ରାଇଭର, ସେଫ୍‌ ଏବଂ ବିକ୍ରୟକର୍ମୀ ଭାବେ ନିଯୁକ୍ତ ହୋଇଛନ୍ତି ସେମାନଙ୍କ କ୍ଷେତ୍ରରେ କରୋନା ମୃତ୍ୟୁହାର ଅଧିକ ରହିଛି। ସେପଟେ ସବୁଠୁ କ୍ଷତିଗ୍ରସ୍ତ ହୋଇଥିବା ଲାଟିନ୍‌ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍‌ରେ ମୃତ୍ୟୁସଂଖ୍ୟା ୧୧ ହଜାର ଟପିଛି। ବ୍ରାଜିଲ୍‌ରେ ୧୧ ହଜାର ୧୨୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବ୍ରାଜିଲ୍‌ରେ ୧ଲକ୍ଷ ୬୨ହାର ୬୯୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲ୍‌‌ରେ ୧୦ହଜାର ୬୧୧ ନୂଆ ମାମଲା ରେକର୍ଡ କରାଯାଇଛି ଏବଂ ୭୩୦ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଘାନାରେ ଏକ ମାଛ ପ୍ରକ୍ରିୟାକରଣ କାରଖାନାରେ କାମ କରୁଥିବା ଜଣେ କର୍ମଚାରୀ ୫୩୩ ଜଣଙ୍କୁ ସଂକ୍ରମିତ କରିଛନ୍ତି। ରାଷ୍ଟ୍ରପତି ଆକୁଫୋ ଆଡ୍ଡୋ ଏହା କହିଛନ୍ତି। ଘାନାର ମୋଟ୍‌ ସଂକ୍ରମଣ ମାମଲାର ଏହା ୧୧.୩ ପ୍ରତିଶତ।

ସମ୍ବନ୍ଧିତ ଖବର