ଜର୍ମାନୀ ଓ ଫ୍ରାନ୍ସକୁ ଟପିଗଲା ରୁଷ୍‌: ପୁଣି ୧୧ହଜାର ନୂଆ ମାମଲା, ମ‌ସ୍କୋର ଆକ୍ରାନ୍ତ ସଂଖ୍ୟା ୩ଲକ୍ଷ!

ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧ଲକ୍ଷ ୭୭ହଜାର ଟପିଲା, ଆମେରିକାରେ ପୁଣି ୨୦୦୦ ମୃତ୍ୟୁ

ନୂଆଦିଲ୍ଲୀ: ରୁଷ୍‌ରେ ପୁଣି ୨୪ ଘଣ୍ଟା ମଧ୍ୟରେ ୧୧ହଜାର ୨୩୧ ଜଣ ସଂକ୍ରମିତ ହୋଇଛି ଏବଂ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ୭୭ହଜାର ୧୬୦ରେ ପହଞ୍ଚିଛି। ସଂକ୍ରମଣ ମାମଲାରେ ରୁଷ୍‌ ଜର୍ମାନୀ ଏବଂ ଫ୍ରାନ୍ସକୁ ଟପିଯାଇଛି। ପଞ୍ଚମ ରାଷ୍ଟ୍ରଭାବେ ରୁଷ୍‌ରେ ସର୍ବାଧିକ ସଂକ୍ରମଣ ମାମଲା ରହିଛି। ରୁଷ୍‌ରେ ୧୬୨୫ ଜଣଙ୍କ ମୃତ୍ୟୁ ହୋଇଛି। ରୁଷ୍‌ ରାଜଧାନୀ ମସ୍କୋ କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ। କିନ୍ତୁ ମସ୍କୋର ମେୟର କହିଛନ୍ତି ଯେ, ମସ୍କୋର ବାସ୍ତବ ମାମଲା ସରକାରୀ ତଥ୍ୟଠାରୁ ୩ ଗୁଣା ଅଧିକ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ମସ୍କୋରେ ପ୍ରାୟ ୩ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ।

କରୋନା ଭାଇରସ୍‌ ବିଶ୍ବବ୍ୟାପୀ ଏବେ ୨୧୨ଟି ରାଷ୍ଟ୍ରରେ କାୟା ବିସ୍ତାର କରିଛି। ସଂକ୍ରମଣର ମାତ୍ରା ଅତି ଦ୍ରୁତ ଗତିରେ ବଢ଼ି ଚାଲିଛି। କରୋନା ଯୋଗୁଁ ବ୍ରାଜିଲ୍‌ରେ ବି ସ୍ଥିତି ବିଗିଡ଼ିବାରେ ଲାଗିଛି। ବ୍ରାଜିଲ୍‌ରେ ୨୪ ଘଣ୍ଟା ମଧ୍ୟରେ ୧୦ହଜାର ୫୦୩ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୬୧୫ ଜଣଙ୍କ ମୃତ୍ୟୁ ହୋଇଛି। ବ୍ରାଜିଲ୍‌ରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୨୬ ହଜାର ୬୧୧ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୮ହଜାର ଟପିଛି। ଗତ ଏପ୍ରିଲ ୩୦ ତାରିଖରେ ମଧ୍ୟ ବ୍ରାଜିଲ୍‌ରେ ୭,୦୦୦ ନୂଆ ମାମଲା ରେକର୍ଡ କରାଯାଇଥିଲା। ମେ’ ୬ରେ ବ୍ରାଜିଲ୍‌ରେ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁଯାୟୀ ବ୍ରାଜିଲ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଉପ ସଚିବ କହିଛନ୍ତି ଯେ, ପ୍ରାୟ ୧ଲକ୍ଷ କ‌ରୋନା ଟେଷ୍ଟ୍‌ ଫଳାଫଳକୁ ଏଥିରେ ସାମିଲ କରାଯାଇନି। ଆଗାମୀ ଦିନ‌ରେ ବ୍ରାଜିଲ୍‌ରେ ସଂକ୍ରମଣ ମାତ୍ରା ହଠାତ୍‌ ବଢ଼ିବ ବୋଲି କୁହାଯାଉଛି। ତେବେ ଆମେରିକାରେ ଗତ ୨୪ ଘଣୟରେ ପୁଣି ୨ହଜାର ୭୩ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ମୃତ୍ୟୁସଂଖ୍ୟା ୭୪ ହଜାର ୮୧୦ରେ ପହଞ୍ଚିଛି। ଆମେରିକାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୬୩ହଜାର ୨୪୩ ରହିଛି। ତେବେ ସ୍ପେନ୍‌ରେ ମୃତ୍ୟୁସଂଖ୍ୟା ୨୬ହଜାର ଟପିଥିଲେ ମଧ୍ୟ ଏଠାରେ ଧୀରେଧୀରେ ସ୍ଥିତି ସୁଧୁରୁଛି। ବିଶ୍ବବ୍ୟାପୀ ଏବେ ୩୮ଲକ୍ଷ୪୫ହଜାର ୩୦୭ ଜଣ କ‌ରୋନା ସଂକ୍ରମିତ ହୋଇଛନ୍ତି ଏବଂ ୨ଲକ୍ଷ୬୫ହଜାର୮୬୮ ଜଣଙ୍କ ମୃତ୍ୟୁ ହୋଇଛି। ପୋଲାଣ୍ଡ୍‌ରେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ କରୋନା ମହାମାରୀ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର