ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦରେ ତୃତୀୟ ପକ୍ଷର ହସ୍ତକ୍ଷେପ ଆଦୌ ଆବଶ୍ୟକ ନାହିଁ। ସୀମା ବିବାଦ ମାମଲା ସଂପୂର୍ଣ୍ଣ ଦ୍ବିପାକ୍ଷିକ ଏବଂ ଉଭୟ ଦେଶ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସକ୍ଷମ ବୋଲି ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଜେଲ ଲାଭ୍ରୋଭ୍ କହିଛନ୍ତି। ଆଜି ରୁଷ-ଭାରତ-ଚୀନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ତ୍ରିପାକ୍ଷିକ ଭର୍ଚୁଆଲ ସମ୍ମିଳନୀରେ ଅଂଶ ଗ୍ରହଣ କରି ଲାଭ୍ରୋଭ୍ କହିଛନ୍ତି ଯେ ଭାରତ-ଚୀନ୍ ସୀମାରେ ଶାନ୍ତି ବଜାୟ ରହିବ ବୋଲି ଆମେ ଆଶାବାଦୀ ଏବଂ କୌଣସି ପକ୍ଷ କୂଟନୈତିକ ସମାଧାନକୁ ବାଦ ଦେଇ ଅନ୍ୟ କିଛି ଚିନ୍ତା କରିବେ ନାହିଁ ବୋଲି ସଙ୍କେତ ମିଳିସାରିଛି। ନିକଟରେ ଲଦାଖ୍ର ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ ଏବଂ ଚୀନ୍ର ମଧ୍ୟ ପ୍ରାୟ ୪୦ରୁ ଅଧିକ ସୈନିକ ନିହତ ହୋଇଥିଲେ।ଏଭଳି ସ୍ଥିତିରେ ରୁଷ୍-ଭାରତ-ଚୀନ୍ ମଧ୍ୟରେ ଆଜି ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକ ଉପରେ ପୂରା ବିଶ୍ବର ନଜର ରହିଥିଲା।
ସମ୍ମିଳନୀରେ ଭାରତର ପ୍ରତିନିଧିତ୍ବ କରି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ ଯେ ବିଶ୍ବର ନେତୃତ୍ବ ନେଉଥିବା ଦେଶମାନେ ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ଏବଂ ସହଯୋଗୀମାନଙ୍କର ସ୍ବାର୍ଥକୁ ସମ୍ମାନ ଉଚିତ ପଦକ୍ଷେପ ନେବା ଆବଶ୍ୟକ। ଏଲ୍ଏସିରେ ଚୀନ୍ର ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ସିଧାସଳଖ ଉଲ୍ଲେଖ କରି ଜୟଶଙ୍କର ଏଭଳି ମତ ରହିଖିଲେ। ଚୀନ୍ ବିଦେଶ ମନ୍ତ୍ରୀ ୱାଂଙ୍ଗ ୱି ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ।