ଭାରତରେ ନିର୍ମାଣ ହେବ ଋଷିଆର ଶକ୍ତିଶାଳୀ କେଏ-୨୨୬ଟି ସାମରିକ ହେଲିକପ୍ଟର

ନୂଆଦିଲ୍ଲୀ : ଋଷିଆର ଶକ୍ତିଶାଳୀ ସାମରିକ ହେଲିକାପ୍ଟର କେଏ-୨୨୬ଟି କୁ ଭାରତରେ ନିର୍ମାଣ କରାଯିବ । ଏଥିପାଇଁ ରସିଆନ ହେଲିକପ୍ଟର୍ସ ଲିଃ ଓ ଇଣ୍ଡୋ-ରସିଆନ ହେଲିକପ୍ଟର୍ସ ଲିଃ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ଲକ୍ଷ୍ନୌଠାରେ ଅନୁଷ୍ଠିତ ପ୍ରତିରକ୍ଷା ପ୍ରଦର୍ଶନୀ ଡିଫେକ୍ସପୋ ଅବସରରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଇଣ୍ଡୋ-ରସିଆନ ହେଲିକପ୍ଟର୍ସ ଲିଃ ହେଉଛି ଭାରତ ସରକାରଙ୍କ ଅଧିନସ୍ଥ କମ୍ପାନି ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ୍‌), ଋଷୀୟ କମ୍ପାନି ରସବରନଏକ୍ସପୋର୍ଟ ଓ ରସିଆନ ହେଲିକପ୍ଟର୍ସ ମଧ୍ୟରେ ଗଠିତ ଏକ ଯୁଗ୍ମ ଉଦ୍ୟୋଗ । ଏହି ଚୁକ୍ତି ଅନୁସାରେ କେଏ-୨୨୬ଟି ହେଲିକପ୍ଟର ଭାରତରେ ନିର୍ମାଣ ହେବ ଓ ବିଦେଶକୁ ରପ୍ତାନି ହେବ । ଏଥିପାଇଁ ରସିଆନ ହେଲିକପ୍ଟର୍ସ ବୈଷୟିକ ଜ୍ଞାନକୌଶଳ ଯୋଗାଇବ ।

ଅନ୍ୟପକ୍ଷରେ ଋଷୀୟ ପ୍ରତିରକ୍ଷା କମ୍ପାନି ରସବରନଏକ୍ସପୋର୍ଟ ଓ ଭାରତର ପ୍ରତିରକ୍ଷା ଗବେଷଣା ସଂଗଠନ (ଡିଆରଡିଓ)ର ଶାଖା କମ୍ପାନି ଏଚଇଏମଆରଏଲ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା ମାଧ୍ୟମରେ ଡିଆରଡିଓକୁ ଅତ୍ୟାଧୁନିକ ଇଗନିସନ ସିଷ୍ଟମ ନିର୍ମାଣ ପାଇଁ ଆବଶ୍ୟକ ପାଇରୋଟେକନିକ ଜ୍ଞାନକୌଶଳ ମିଳିପାରିବ । ଏହି ଜ୍ଞାନକୌଶଳ ମିଳିବା ପରେ ଭାରତ ଆହୁରି ଅତ୍ୟାଧୁନିକ ଓ ଶକ୍ତିଶାଳୀ ରକେଟ ଓ କ୍ଷେପଣାସ୍ତ୍ର ତିଆରି କରିପାରିବ । ଏପରିକି ଅତ୍ୟାଧୁନିକ ଲଢୁଆ ବିମାନରେ ମଧ୍ୟ ଏହି ଟେକନଲୋଜୀର ପ୍ରୟୋଗ କରାଯାଇଥାଏ ।

ସମ୍ବନ୍ଧିତ ଖବର