ଫିଲିପାଇନ୍ସକୁ ବ୍ରହ୍ମୋସ୍‌ ମିସାଇଲ ରପ୍ତାନି କରିପାରିବ ଭାରତ, ଋଷିଆର ସବୁଜ ସଂକେତ

ନୂଆଦିଲ୍ଲୀ : ଭାରତ ସରକାର ଫିଲିପାଇନ୍ସ କିମ୍ବା ଅନ୍ୟ କୌଣସି ଦେଶକୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ ବିକ୍ରି କରିପାରିବ ବୋଲି ଋଷିଆ ନୀତିଗତ ଭାବେ ମଂଜୁରୀ ଦେଇଛି । ଏହି ମିସାଇଲ ଭାରତ ଓ ଋଷିଆ ମଧ୍ୟରେ ଏକ ମିଳିତ ପ୍ରକଳ୍ପ ହୋଇଥିବାରୁ ଅନ୍ୟ ଦେଶକୁ ମିସାଇଲ ରପ୍ତାନି କରିବାକୁ ଋଷିଆର ଅନୁମତି ଆବଶ୍ୟକ ଥିଲା । ଋଷିଆର ମଂଜୁରୀ ମିଳିବା ପରେ ଅନ୍ୟ ଦେଶକୁ ରପ୍ତାନି କରିବାରେ ପ୍ରତିବନ୍ଧକ ଦୂର ହୋଇଛି ।

ଭାରତରୁ ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ କିଣିବାକୁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଫିଲିପାଇନ୍ସ ଆଗ୍ରହ ପ୍ରକାଶ କରିଛି । ଏଥିଲାଗି ଫିଲିପାଇନ୍ସ ସରକାର ଏବେ ଭାରତ ସରକାରଙ୍କ ସହିତ ଆଲୋଚନା କରୁଛନ୍ତି । ଏହି ମିସାଇଲ ପାଇବାପରେ ନିଜ ଦେଶ ପ୍ରତି ଆସୁଥିବା ବିପଦର ସଫଳ ମୁକାବିଲା କରିବ ବୋଲି ଫିଲିପାଇନ୍ସ ସେନା ଆଶା କରୁଛି । ଚୀନ ସହ ଫିଲିପାଇନ୍ସର ସୀମା ବିବାଦ ଥିବାରୁ ଚୀନ ପଟୁ ବିପଦ ଆଶଙ୍କା କରୁଛି ଫିଲିପାଇନ୍ସ । ଏଥିପାଇଁ ଭାରତଠାରୁ ବ୍ରହ୍ମୋସ ମିସାଇଲ କିଣିବାକୁ ଚାହୁଁଛି । କିନ୍ତୁ ଋଷିଆ ଓ ଚୀନ ମଧ୍ୟରେ ସାମରିକ ରାଜନାମା ଥିବାରୁ ଚୀନର ଶତ୍ରୁଦେଶକୁ ବ୍ରହ୍ମୋସ ବିକ୍ରିକରିବା ପାଇଁ ଋଷିଆର ଅନୁମତି ଆବଶ୍ୟକ ଥିଲା । ତେବେ ଏସଂପର୍କରେ ଭାରତରେ ଥିବା ଋଷିଆର ଉପ-ରାଷ୍ଟ୍ରଦୂତ ରୋମାନ ବାବୁସ୍କିନ କହିଛନ୍ତି ଯେ ବ୍ରହ୍ମୋସର ରପ୍ତାନି କ୍ଷେତ୍ରରେ ଋଷିଆ-ଚୀନ ସମ୍ପର୍କ ପ୍ରତିବନ୍ଧକ ହେବ ନାହିଁ ।

ଭାରତରୁ ବ୍ରହ୍ମୋସ ମିସାଇଲ କିଣିବା ପାଇଁ କେବଳ ଫିଲିପାଇନ୍ସ ନୁହେଁ ଦକ୍ଷିଣ-ପୂର୍ବ ଏସିଆର ଆଉ କେତେକ ଦେଶ ଯଥା ଇଣ୍ଡୋନେସିଆ, ଭିଏତନାମ ଆଦି ଆଗ୍ରହ ପ୍ରକାଶ କରିଥିବାବେଳେ, ପଶ୍ଚିମ ଏସିଆର କେତେକ ଦେଶ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର