ଭାରତ ଏବଂ ଚୀନ୍‌କୁ ଅବଗତ କଲା ରୁଷ୍‌: ‘ଡାର୍ଟି ବମ୍‌’ ପ୍ରୟୋଗ କରିବ ୟୁକ୍ରେନ୍!

ରୁଷ୍‌ର ପରମାଣୁ ଡ୍ରିଲ୍‌ ଆରମ୍ଭ, ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା

ମସ୍କୋ: ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗି ସୋଇଗୁ ଆଜି ଭାରତ ଏବଂ ଚୀନ୍‌ ସହ ୟୁକ୍ରେନ୍‌ ଯୁଦ୍ଧ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ସୋଇଗୁ ଆଜି ତାଙ୍କ ଚୀନ୍‌ ପ୍ରତିପକ୍ଷଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ କଥାବାର୍ତ୍ତା‌ ହେବା ସମୟରେ କହିଛନ୍ତି, ୟୁକ୍ରେନ୍‌ ‘ଡାର୍ଟି ବମ୍‌’ ବ୍ୟବାହାର କରି ରୁଷ୍‌ରେ ଭୟାନକ ସ୍ଥିତି ସୃଷ୍ଟି କରିବାକୁ ଯୋଜନା କରୁଛି। ‘ଡାର୍ଟି ବମ୍‌’ ହେଉଛି ଡିନାମାଇଟ୍‌ ଏବଂ ରେଡିଓଆକ୍ଟିଭ ପାଉଡର ଦ୍ବାରା ପ୍ରସ୍ତୁତ ହୋଇଥିବା ଶକ୍ତିଶାଳୀ ବୋମା ଯାହା ଭୟାନକ ବିକିରଣ ପ୍ରଦୂଷଣ ସୃଷ୍ଟି କରିଥାଏ। ତେବେ ଏହା ପରମାଣୁ ବିସ୍ଫୋରଣ ଭଳି ସ୍ଥିତି ସୃଷ୍ଟି କରିନଥାଏ। ୟୁକ୍ରେନ୍‌ ଏଭଳି ଡାର୍ଟି ବମ୍‌ ବ୍ୟବହାର କରି ଯୁଦ୍ଧର ମୋଡ଼ ବଦଳାଇବାକୁ ଚାହୁଥିବା ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ରୁଷ୍‌ ଏଭଳି ତଥ୍ୟ ରଖିଛି।

ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ବିବୃତି ଜାରି କରି ଏହା କୁହାଯାଇଛି। ସୋଇଗୁ ମଧ୍ୟ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହେବା ସମୟରେ ସମାନ ଚିନ୍ତା ପ୍ରକଟ କରିଥିବା ନେଇ ମନ୍ତ୍ରାଳୟ ଦ୍ବାରା ଜାରି ବିବୃତି‌ରେ କୁହାଯାଇଛି। କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସକଭ ବୁଧବାର ଦିନ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ, ୟୁକ୍ରେନ୍‌ ରୁଷ୍‌ ବିରୋଧରେ ‘ଡାର୍ଟି ବମ୍‌’ ବ୍ୟବହାର କରିବାପାଇଁ ଯୋଜନା କରିଛି ଏବଂ ରୁଷ୍‌ ନିକଟରେ ଏହାର ବଳିଷ୍ଠ ପ୍ରମାଣ ରହିଛି। ବିଶ୍ବ ସମୁଦାୟ ଆଗରେ ଆମେ ଏହା ଜଣାଇବାକୁ ଚାହୁଛୁ ଯେ ୟୁକ୍ରେନ୍‌ର ଏଭଳି ବେପରୁଆ କାର୍ଯ୍ୟକୁ ରୋକିବା ଅତି ଜରୁରୀ। ରୁଷ୍‌ ନିଜର ସୁରକ୍ଷା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ଡିମିଟ୍ରି କହିଛନ୍ତି। ଅନ୍ୟପକ୍ଷରେ ରୁଷ୍‌ ଆଜିଠାରୁ ପୁଣି ପରମାଣୁ ଡ୍ରିଲ୍‌ ଆରମ୍ଭ କରିଛି ଏବଂ ଏହି ପର୍ଯ୍ୟାୟରେ ଆଜି ଏକ ପରମାଣୁ ଅସ୍ତ୍ର ବାହକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଛି।

ଗୋଟିଏ ପଟେ ଡାର୍ଟି ବମ୍‌ ବ୍ୟବହାର ପାଇଁ ୟୁକ୍ରେନ୍‌ର ଗୁପ୍ତ ରଣନୀତି ରୁଷ୍‌ର ନିଦ ହଜାଇ ଦେଇଥିବା ବେଳେ ଅନ୍ୟପଟେ ଏଭଳି ସ୍ଥିତି ଆସିଲେ ପରମାଣୁ ଯୁଦ୍ଧ ଆରମ୍ଭ ହୋଇଯିବ ବୋଲି ମଧ୍ୟ ଯୁଦ୍ଧନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି। ୟୁକ୍ରେନ୍‌ ଯୁଦ୍ଧରେ ଏ ପର୍ଯ୍ୟନ୍ତ କୌଣସି ପକ୍ଷ ଗଣବିଧ୍ବଂସକାରୀ ଅସ୍ତ୍ର ପ୍ରୟୋଗ କରିନାହାନ୍ତି। ଏବେ ୟୁକ୍ରେନ୍‌ର ଯୋଜନାକୁ ପଣ୍ଡ କରିବା ପାଇଁ ରୁଷ୍‌ କେତେକ ଜରୁରୀ ପଦକ୍ଷେପ ନେଇଛି ଏବଂ ନିଜ ପଟୁ ମଧ୍ୟ ବିଧ୍ବଂସକାରୀ ଅସ୍ତ୍ର ପ୍ରୟୋଗ କରିବାକୁ ସଙ୍କେତ ଦେଇଛି।

ପରମାଣୁ ଅସ୍ତ୍ର ବ୍ୟବହାର ନେଇ ରୁଷ୍‌କୁ ବାଇଡେନଙ୍କ ଚେତାବନୀ


ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପରମାଣୁ ଅସ୍ତ୍ର ବ୍ୟବହାର ପ୍ରସଙ୍ଗରେ ରୁଷ୍‌କୁ କଡ଼ା ଚେତାବନୀ ଦେଇଛନ୍ତି। ବାଇଡେନ ମଙ୍ଗଳବାର ହ୍ବାଇଟ୍‌ ହାଉସରେ ରୁଷ୍‌ର ପରମାଣୁ ଅସ୍ତ୍ର ବ୍ୟବହାର ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ‌ଉତ୍ତର ଦେଇ କହିଛନ୍ତି ‌ଯେ ରୁଷ୍‌ ଯଦି ପରମାଣୁ ଅସ୍ତ୍ର ବ୍ୟବହାର କରେ ତେବେ ଏହା ରୁଷ୍‌ର ଅତି ସାଂଘା‌ତିକ ଭୁଲ୍‌ ହେବ। ରୁଷ୍‌ ପରମାଣୁ ଅସ୍ତ୍ର ବ୍ୟବହାର କଲେ ଅତି ଭୟଙ୍କର ପରିଣାମ ଭୋଗିବା ସୁନିଶ୍ଚିତ ବୋଲି ବାଇଡେନ୍‌ କହିଛନ୍ତି।

ଅନ୍ୟପକ୍ଷେ ୟୁକ୍ରେନ୍‌ ରୁଷ୍‌ ବିରୋଧରେ ‘ଡାର୍ଟି ବମ୍‌’ ବ୍ୟବହାର ପାଇଁ ଯୋଜନା କରୁଛି ବୋଲି ରୁଷ୍‌ ଦାବି କରୁଥିବାବେଳେ ଆମେରିକା ଏହାକୁ ଖଣ୍ଡନ କରିଛି। ହ୍ବାଇଟ୍‌ ହାଉସ୍‌ ପ୍ରେସ ସଚିବ କାରିନ୍‌ ଜିନ୍‌-ପିରେ କହିଛନ୍ତି, ୟୁକ୍ରେନ୍‌ ‘ଡାର୍ଟି ବମ୍‌’ ବ୍ୟବହାର ପାଇଁ ଯୋଜନା କରୁଛି ବୋଲି ରୁଷ୍‌ ଯେଉଁ ଦାବି କରୁଛି ସେ ନେଇ କୌଣସି ପ୍ରମାଣ ନାହିଁ। ଅତୀତରେ ମଧ୍ୟ ରୁଷ୍‌ ଉତ୍ତେଜନା ବଢ଼ାଇବାପାଇଁ ଏଭଳି ଅଭିଯୋଗ କରିଆସିଛି ବୋଲି ସେ କହିଛନ୍ତି। ତେବେ ରୁଷ୍‌ର ପରମାଣୁ ଅସ୍ତ୍ର ବ୍ୟବହାର ପ୍ରସଙ୍ଗରେ ଆମେରିକା ଅତି ଭଲଭାବେ ଯାଞ୍ଚ କରୁଛି ବୋଲି ହ୍ବାଇଟ୍‌ ହାଉସ ପ୍ରେସ୍‌ ସଚିବ କହିଛନ୍ତି।

ସମ୍ବନ୍ଧିତ ଖବର