ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ବିଶ୍ୱକୁ ଚକିତ କରିଦେଇଛନ୍ତି। କ୍ରେମ୍ଲିନରେ ଏକ ସମ୍ମିଳନୀରେ ଅସ୍ତ୍ରଶସ୍ତ୍ର ନିର୍ମାତାମାନଙ୍କୁ ସମ୍ମାନିତ କରି ସେ ଘୋଷଣା କରିଛନ୍ତି ଯେ ରୁଷ୍ ନୂଆ ପିଢ଼ିର ପରମାଣୁ ଶକ୍ତି ଚାଲିତ କ୍ରୁଜ ମିସାଇଲର ବ୍ୟାପକ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛି। ପୁଟିନ ଦାବି କରିଛନ୍ତି, ଏହି ମିସାଇଲଗୁଡ଼ିକ ଶବ୍ଦର ଗତିଠାରୁ ତିନି ଗୁଣ ତୀବ୍ର ହେବ, ଯାହା ଏହାକୁ ହାଇପର୍ସୋନିକ କ୍ଷମତା ପ୍ରଦାନ କରିବ। ଏଗୁଡ଼ିକୁ ‘କ୍ରୁଜ ମିସାଇଲର ଜନକ’ କୁହାଯାଉଛି, କାରଣ ଏହା ବର୍ତ୍ତମାନ ପ୍ରଚଳିତ ଅସ୍ତ୍ରଗୁଡ଼ିକୁ ବହୁ ପଛରେ ପକାଇ ଦେବ।
ପୁଟିନ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ସମସ୍ତ ଯୋଜନା ପୂର୍ଣ୍ଣ ଗତିରେ କାର୍ଯ୍ୟକାରୀ ହେଉଛି। ସେ ଜୋର୍ ଦେଇ କହିଛନ୍ତି ଯେ ପରମାଣୁ ଅସ୍ତ୍ର ହଁ ଏକବିଂଶ ଶତାବ୍ଦୀରେ ରୁଷ୍ର ସୁରକ୍ଷାର ଐତିହାସିକ ଭିତ୍ତି। ଏହି ନୂଆ କ୍ଷେପଣାସ୍ତ୍ର ରୁଷ୍ ସେନା ଓ ନୌସେନାକୁ ଅତ୍ୟାଧୁନିକ କରିବ। ପୁଟିନ ‘ଅଭାଙ୍ଗାର୍ଡ’ ମିସାଇଲକୁ ଯୁଦ୍ଧ କ୍ଷେତ୍ରରେ ମୁତୟନ କରାଯିବା ଓ ‘ଓରେସ୍ନିକ’ ମଧ୍ୟମ ଦୂରତା କ୍ଷେପଣାସ୍ତ୍ରର ବିପୁଳ ଉତ୍ପାଦନ ଆରମ୍ଭ କଥା ମଧ୍ୟ କହିଛନ୍ତି।
ନିକଟରେ ରୁଷ୍ ବିଶ୍ବର ସବୁଠାରୁ ଶକ୍ତିଶାଳୀ ତଥା ଅସୀମିତ ଦୂରତା ଯାଇପାରୁଥିବା ପରମାଣୁ କ୍ରୁଜ୍ ମିସାଇଲ ‘ଷ୍ଟର୍ମ ବାର୍ଡ’ ପରୀକ୍ଷଣ କରି ହଇଚଇ ସୃଷ୍ଟି କରିଥିଲା। ପୁଟିନ ଦାବି କରିଛନ୍ତି ଯେ ୨୧ ଅକ୍ଟୋବରରେ ଏହାର ପରୀକ୍ଷା ସମୟରେ ନାଟୋ ଜାହାଜ ଉପସ୍ଥିତ ଥିଲା, କିନ୍ତୁ ରୁଷ୍କୁ ବାଧା ଦେବା ଭଳି ସାହସ କାହାର ନାହିଁ ବୋଲି ପୁଟିନ କହିଛନ୍ତି। ‘ପୋସାଇଡନ’ ବୁଡ଼ାଜାହାଜ ପରମାଣୁ ସୁନାମି ସୃଷ୍ଟି କରିବାକୁ ସକ୍ଷମ ଏବଂ ଏ ବାବଦରେ ବିଶ୍ବ ଅବଗତ ଅଛି ବୋଲି କହି ପୁଟିନ ୟୁରୋପ ଓ ଆମେରିକାକୁ କଡ଼ା ବର୍ତ୍ତା ଦେଇଛନ୍ତି।
ସୂଚନାଯୋଗ୍ୟ, ୟୁକ୍ରେନ ଯୁଦ୍ଧରେ ରୁଷ ପୂର୍ବରୁ ହାଇପର୍ସୋନିକ ଅସ୍ତ୍ର ବ୍ୟବହାର କରିଛି। ବିଶେଷଜ୍ଞଙ୍କ ମତରେ, ରୁଷ୍ର ବର୍ତ୍ତମାନର ରଣନୀତି ବିଶ୍ୱସ୍ତରୀୟ ଅସ୍ତ୍ର ପ୍ରତିଯୋଗିତାକୁ ତୀବ୍ର କରିବ। ଏବେ ପରମାଣୁ ବିପଦ ବୃଦ୍ଧି ଅନ୍ତର୍ଜାତୀୟ ଉତ୍ତେଜନାକୁ ବଢ଼ାଇ ଦେଇଥିବା ବେଳେ ଆମେରିକା ପରମାଣୁ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଥିବା ନେଇ ନିକଟରେ ଘୋଷଣା କରିସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/06/untitled-15-2025-11-06-07-09-07.jpg)