କିବ୍‌ରେ ଧସେଇ ପଶୁଛି ରୁଷ୍‌: ସାମରିକ ଘାଟି ଆକ୍ରମଣରେ ୧୮ ମୃତ, ୟୁକ୍ରେନ୍‌ ସାମରିକ ବିମାନ ଦୁର୍ଘଟଣାରେ ୧୪ ମୃତ ଆଶଙ୍କା

ରୁଷ୍‌କୁ ଚୀନ୍‌ର ସମର୍ଥନ

କିବ୍‌ : ୟୁକ୍ରେନ୍‌ ରାଜଧାନୀ କିବ୍‌ରେ ରୁଷ୍‌ ଧସେଇ ପଶିଛି। କେବଳ ପୂର୍ବ ୟୁକ୍ରେନ୍‌ରେ ସାମରିକ କାର୍ଯ୍ୟାନୁଷ୍ଠାନ ‌ପାଇଁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଥିଲେ ସୁଦ୍ଧା ସମଗ୍ର ୟୁକ୍ରେନ୍‌ରେ ଆକ୍ରମଣ ଜାରି ରହିଛି। ୟୁକ୍ରେନ୍‌ ରାଜଧାନୀ କିବ୍‌ରେ ଆଜି ପ୍ରମୁଖ ସାମରିକ ଘାଟିରେ ଆକ୍ରମଣ ହୋଇଛି। ସାମରିକ ଘାଟି ଆକ୍ରମଣ ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଇତି ମଧ୍ୟରେ ରୁଷ୍‌ ଆକ୍ରମଣ ଯୋଗୁଁ ୟୁକ୍ରେନ୍‌ର କେବଳ ୬୮ ନାଗରିକ ଏବଂ ‌ସୈନିକ ନିପାତ ହୋଇଥିବା‌ ଖବର ମିଳିଛି। ୟୁକ୍ରେନ ସାମରିକ ବିମାନବନ୍ଦରରେ ରୁଷ୍‌‌ କ୍ଷେପଣାସ୍ତ୍ର ମାଡ଼ କରିଛି। ରୁଷ୍‌ ନାଗରିକଙ୍କୁ ପୁଟିନଙ୍କ ବିରୋଧରେ ଆନ୍ଦୋଳନ ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ଆହ୍ବାନ ପରେ ମାମଲା ଅଧିକ ଜଟିଳ ହୋଇଛି ଏବଂ ରୁଷ୍‌ର ଆଭିମୁଖ୍ୟ ଆହୁରି ଉଗ୍ର ହୋଇଛି।

ଅନ୍ୟପକ୍ଷେ ୟୁକ୍ରେନ୍‌ର ଏକ ସାମରିକ ବିମାନ କିବ୍‌ ନିକଟରେ ଆଜି ଦୁର୍ଘଟଣାଗ୍ରସ୍ଥ ହୋଇଛି। ବିମାନରେ ମୋଟ୍‌ ୧୪ ଜଣ ଥିଲେ। ଦକ୍ଷିଣ କିବ୍‌ଠାରୁ ମାତ୍ର ୨୦ କିମି ଦୂରରେ ଏହି ଘଟଣା ଘଟିଛି। ରୁଷ୍‌ ଆଜି ୟୁକ୍ରେନରେ ୩୦ ରୁ ଅଧିକ ବିମାନ ଆକ୍ରମଣ କରିଛି। ଇତି ମଧ୍ୟରେ ୟୁରୋପୀୟ ସଂଘ ମୁଖ୍ୟ ବେଲାରୁସ୍‌କୁ ରୁଷ୍‌ର ଏହି ସାମରିକ ଆକ୍ରମଣ ପ୍ରକ୍ରିୟାରେ ସାମିଲ ନହେବାପାଇଁ ଅନୁରୋଧ କରିଛନ୍ତି। ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣକୁ ନାଟୋ ରାଷ୍ଟ୍ରମାନେ କଡ଼ା ନିନ୍ଦା କରିଛନ୍ତି। କିନ୍ତୁ ଚୀନ୍‌ ଏହି ପ୍ରସଙ୍ଗରେ ରୁଷ୍‌କୁ ସମର୍ଥନ କରିଛି। ୟୁକ୍ରେନ୍‌କୁ ନେଇ ସୁରକ୍ଷା ପ୍ରସଙ୍ଗରେ ରୁଷ୍‌ କେତେ ଚିନ୍ତିତ ତାହା ଚୀନ୍‌ ବୁଝିପାରୁଛି ବୋଲି ଚୀନ୍‌ ବିଦେଶ ମନ୍ତ୍ରୀ ହୁଆ ଚୁନିଙ୍ଗ ଆଜି ରୁଷ୍‌ ବି‌ଦେଶ ମନ୍ତ୍ରୀଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର