ଲଣ୍ଡନ: ରୁଷ୍‌ ପଶ୍ଚିମ ରାଷ୍ଟ୍ରମାନଙ୍କରେ ନିର୍ମିତ ବିଭିନ୍ନ ଯୁଦ୍ଧାସ୍ତ୍ର ବ୍ୟବହାର କରୁଛି ଏବଂ ଅନ୍ୟ ରାଷ୍ଟ୍ରମାନଙ୍କଠାରୁ ଏହା ଗୁପ୍ତ ଭାବେ ହାସଲ କରିବାକୁ ସକ୍ଷମ ହେଉଛି ବୋଲି ଏକ ବ୍ରିଟିଶ ପ୍ରତିରକ୍ଷା ଥିଙ୍କ୍‌ଟ୍ୟାଙ୍କ୍ ରୟାଲ ୟୁନାଇଟେଡ୍ ସର୍ଭିସେସ୍ ଇନ୍‌ଷ୍ଟିଚ୍ୟୁଟ୍ (ଆର୍‌ୟୁଏସ୍‌ଆଇ ବା ରୁସି)ର ରିପୋର୍ଟରେ କୁହାଯାଇଛି। ୟୁକ୍ରେନ୍‌ରୁ ମିଳିଥିବା ବିଭିନ୍ନ ରୁଷ୍‌ ଅସ୍ତ୍ରଶସ୍ତ୍ରରେ ପଶ୍ଚିମ ରାଷ୍ଟ୍ରମାନଙ୍କରେ ପ୍ରସ୍ତୁତ ଯନ୍ତ୍ରାଂଶ ବହୁଳ ଭାବେ ବ୍ୟବହାର ହୋଇଥିବା ଦେଖିବାକୁ ମିଳିଛି । ରୁଷିଆ ବର୍ତ୍ତମାନ ଭାରତ ପରି କେତେକ ତୃତୀୟ ଦେଶର କମ୍ପାନିମାନଙ୍କ ଦ୍ବାରା ସେହିସବୁ ଯନ୍ତ୍ରାଂଶ ହାସଲ କରିବାକୁ ସକ୍ଷମ ହୋଇଥାଇପାରେ ବୋଲି ଏହି ରିପୋର୍ଟରେ କୁହାଯାଇଛି। ‘ଅପରେସନ ଜେଡ୍: ଦ ଡେଥ୍ ଥ୍ରୋଜ୍ ଅଫ୍ ଆନ୍ ଇମ୍ପରିଆଲ ଡିଲ୍ୟୁଜନ’ ଶୀର୍ଷକ ରିପୋର୍ଟଟି ଲେଖିଛନ୍ତି ରୁସିର ବରିଷ୍ଠ ଗବେଷକ ଜ୍ୟାକ୍ ୱାଟ୍‌ଲିଂ ଏବଂ ନିକ୍ ରେନୋଲ୍‌ଡସ। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଯୁଦ୍ଧକ୍ଷେତ୍ରରୁ ମିଳିଥିବା ରୁଷୀୟ ଅସ୍ତ୍ରଶସ୍ତ୍ରର ଭଗ୍ନାଂଶରେ ପାଶ୍ଚାତ୍ୟ ଯନ୍ତ୍ରାଂଶ ଲାଗିଛି।

Advertisment

କିନ୍ତୁ କୌଣସି ପାଶ୍ଚାତ୍ୟ ଦେଶ ରୁଷ୍‌କୁ ଅସ୍ତ୍ରଶସ୍ତ୍ର ବା ଯନ୍ତ୍ରାଂଶ ଯୋଗାଇ ପାରିବେ ନାହିଁ ବୋଲି କଟକଣା ରହିଥିଲା। ତେଣୁ ରୁଷ୍‌କୁ ଚୋରାରେ ଏଭଳି ଅସ୍ତ୍ର ଯୋଗାଇବାରେ ଭାରତ ସମେତ କିଛି ପାଶ୍ଚାତ୍ୟ ରାଷ୍ଟ୍ରର କମ୍ପାନିମାନଙ୍କ ହାତ ଥାଇପାରେ ବୋଲି କୁହାଯାଇଛି। ସମସ୍ତ ବୃହତ୍ ରୁଷୀୟ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚା ରହିଛି। ୯ଏମ୍୯୪୯ ଗାଇଡେଡ୍ ୩୦୦-ଏମ୍‌ଏମ୍‌ ରକେଟ୍‌ରେ ଆମେରିକା-ନିର୍ମିତ ଫାଇବର-ଅପ୍ଟିକ୍ ଗାଇରୋସ୍କୋପ୍ ବ୍ୟବହୃତ ହୋଇଛି ଯାହା ଇନର୍ସିଆଲ ନେଭିଗେସନ ପାଇଁ ଦରକାରୀ। ରୁଷିଆର ଟିଓଆର୍-ଏମ୍୨ ଏୟାର୍ ଡିଫେନ୍ସ ସିଷ୍ଟମ୍‌ରେ ବ୍ରିଟିଶ-ନିର୍ମିତ ଓସିଲେଟର ଲାଗିଛି। କାଲିବର କ୍ରୁଜ୍ ମିସାଇଲ ଇସ୍କାନ୍ଦର-ଏମ୍‌ ପ୍ରଭୃତିରେ ବି ଏହା ବ୍ୟବହୃତ ହୋଇଛି। ରୁଷିଆର ଆଧୁନିକ ସାମରିକ ହାର୍ଡୱେୟାର ଆମେରିକା, ଇଂଲଣ୍ଡ, ଜର୍ମାନୀ, ନେଦରଲାଣ୍ଡ, ଜାପାନ, ଇସ୍ରାଏଲ ଓ ଚୀନ୍‌ରୁ ଆମଦାନି କରାଯାଇଛି। ତେବେ ଏହି ପାଶ୍ଚାତ୍ୟ ଯନ୍ତ୍ରାଂଶଗୁଡ଼ିକ ରୁଷିଆ ପାଇଁ ପାଶ୍ଚାତ୍ୟ କମ୍ପାନିଗୁଡ଼ିକ ନୂଆ କରି ତିଆରି କରିଛନ୍ତି ବା ଏଗୁଡ଼ିକ ପୁରୁଣା ସେ ସମ୍ପର୍କରେ ରିପୋର୍ଟର ଲେଖକମାନେ ସ୍ପଷ୍ଟ କରିପାରି ନାହାନ୍ତି। ‌ଅନେକ ଯନ୍ତ୍ରାଂଶ ଦ୍ବିତୀୟ ବାର ବ୍ୟବହାର କରାଯାଇପାରିବ। ରୁଷିଆ ବର୍ତ୍ତମାନ ଏଗୁଡ଼ିକୁ ଗୁପ୍ତଭାବେ ବିଭିନ୍ନ ଉତ୍ସରୁ ହାସଲ କରୁଛି । ତେବେ ରୁଷିଆ କିପରିଭାବେ ଏହିସବୁ ଯନ୍ତ୍ରାଂଶ ପାଶ୍ଚାତ୍ୟ ଦେଶଗୁଡ଼ିକରୁ ଆମଦାନି କରିଥିଲା ‌ତାହା ଉପରେ ଇଂଲଣ୍ଡର ଆନ୍ତର୍ଜାତିକ ବାଣିଜ୍ୟ ବିଭାଗ ବର୍ତ୍ତମାନ ଅନୁଧ୍ୟାନ ଆରମ୍ଭ କରିଛି।