ମସ୍କୋ/କିଭ୍: ୟୁକ୍ରେନର ଜାପୋରିଝିଆ ସହର ଉପରେ ରୁଷିଆ ସେନା ବଡ଼ ଧରଣର ଆକ୍ରମଣ କରିଛି। ରୁଷିଆ ସେନା ୧୦୦ ରୁ ଅଧିକ ଡ୍ରୋନ୍ ଏବଂ ପ୍ରାୟ ୧୫୦ ଗ୍ଲାଇଡ୍ ବୋମା ମାଡ଼ କରିଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମେୟର ଜେଲେନସ୍କି ଟେଲିଗ୍ରାମରେ କହିଛନ୍ତି ଯେ, ଗତ ଦୁଇ ସପ୍ତାହ ମଧ୍ୟରେ ରୁଷିଆ ୟୁକ୍ରେନ ଉପରେ ୩୫୦୦ ରୁ ଅଧିକ ଡ୍ରୋନ୍, ୨୫୦୦ ରୁ ଅଧିକ ଶକ୍ତିଶାଳୀ ଗ୍ଲାଇଡ୍ ବୋମା ଏବଂ ପ୍ରାୟ ୨୦୦ କ୍ଷେପଣାସ୍ତ୍ର ମାଡ଼ କରିଛି। ଜେଲେନସ୍କି  ତାଙ୍କ ଦେଶ ପାଇଁ ଏକ ୟୁରୋପୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାର ଆବଶ୍ୟକତା ସମ୍ପର୍କରେ ପ୍ରକାଶ କରିଛନ୍ତି। ଅନ୍ୟ ୟୁକ୍ରେନ ସହରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କରାଯାଇଛି ବୋଲି ସେ କହିଛନ୍ତି।

Advertisment


ସେ ୟୁରୋପୀୟ ନେତାମାନଙ୍କୁ ୟୁରୋପକୁ ସୁରକ୍ଷିତ ରଖିବା ପାଇଁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିବାକୁ ଅନୁରୋଧ କରିଛନ୍ତି। ୟୁକ୍ରେନ ମଧ୍ୟ ରୁଷିଆ ଉପରେ ପ୍ରତିଶୋଧ ନେଇଛି। ୟୁକ୍ରେନର ସଶସ୍ତ୍ର ବାହିନୀଙ୍କ ରାତିରେ ପଶ୍ଚିମ ରୁଷିଆର ସାରାଟୋଭ ଅଞ୍ଚଳରେ ଏକ ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରିଥିଲେ।


ରୁଷିଆର ଗ୍ଲାଇଡ୍ ବୋମାଗୁଡ଼ିକ ଲଢ଼ୁଆ ବିମାନରୁ ଉଚ୍ଚ ସ୍ଥାନରୁ ପକାଯାଇଥିଲା। ଗ୍ଲାଇଡ୍ ବୋମା ବିରୋଧରେ ୟୁକ୍ରେନର କୌଣସି ପ୍ରଭାବଶାଳୀ ଉପାୟ ନାହିଁ। ଜେଲେନସ୍କି କହିଛନ୍ତି, ଯେପର୍ଯ୍ୟନ୍ତ ରୁଷିଆ ଉପର ବଡ଼ ଧରଣର କ୍ଷତି ବିଶେଷକରି ଆର୍ଥିକ ହୋଇ ନାହିଁ, ସେପର୍ଯ୍ୟନ୍ତ ରୁଷିଆ ପ୍ରକୃତ କୂଟନୀତି ଏବଂ ଯୁଦ୍ଧର ଅନ୍ତକୁ ଏଡ଼ାଇ ଚାଲିବ।

ୟୁକ୍ରେନ ଆଞ୍ଚଳିକ ମୁଖ୍ୟ ଇଭାନ ଫେଡୋରୋଭ କହିଛନ୍ତି ଯେ, ରୁଷୀୟ ସେନା ବହୁବିଧ ରକେଟ୍ ଲଞ୍ଚ ସିଷ୍ଟମ ସହିତ ୧୦ଟି ଆକ୍ରମଣ କରିଥିଲେ, ଯେଉଁଥିରେ ୧୦ଟି ଆପାର୍ଟମେଣ୍ଟ ଏବଂ ୧୨ଟି ଘରୋଇ ଘରକୁ କ୍ଷତି ପହଞ୍ଚିଥିଲା।

ରୁଷିଆ ବୋମା ମାଡ଼ରେ ୨୦ ରୁ ଅଧିକ କୋଠା ପ୍ରଭାବିତ ହୋଇଛି
ବୋମା ମାଡ଼ରେକୋଠାରେ ନିଆଁ ଲାଗିଯାଇଥିଲା। ଏହି ଆକ୍ରମଣରେ ଜାପୋରିଝିଆରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆକ୍ରମଣରେ ଚାରି ଶିଶୁଙ୍କ ସମେତ ୨୦ ଜଣ ଆହତ ହୋଇଛନ୍ତି। ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିଲା। ମାଇକୋଲାଇଭ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ୟୁକ୍ରେନର ଭୂମି ଉପରେ ରୁଷିଆର କବଜା ପରେ ୟୁକ୍ରେନର ଶୀର୍ଷ ସାମରିକ କମାଣ୍ଡର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ହଟାଇ ଦେଇଛନ୍ତି। ଶୀର୍ଷ କମାଣ୍ଡର ଓଲେକଜାଣ୍ଡର ସିରସ୍କି ଗତ ଦୁଇ ସପ୍ତାହ ମଧ୍ୟରେ ୧୭ତମ ଏବଂ ୨୦ତମ ସେନା କୋର ଦାୟିତ୍ୱରେ ଥିବା ଦୁଇ ଜଣ ଅଧିକାରୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଭୋଲୋଡିମିର ସିଲେଙ୍କୋଙ୍କ ନେତୃତ୍ୱରେ ୧୭ତମ ସେନା ବାହିନୀ ଜାପାରିଝିଆ ଅଞ୍ଚଳରେ ମୁତୟନ କରାଯାଇଥିଲା, ଯେଉଁଠାରେ ୟୁକ୍ରେନୀୟ ସେନା ଡନିପ୍ରୋ ନଦୀ କୂଳରେ ଥିବା ଏକ ଗାଁର ନିୟନ୍ତ୍ରଣ ହରାଇଛି। ମାକ୍ସିମ କିଟୁହିନଙ୍କ ନେତୃତ୍ୱରେ ୨୦ତମ ସେନା ବାହିନୀ ପୂର୍ବ ଡୋନେଟସ୍କ ଅଞ୍ଚଳ ନିକଟରେ ମୁତୟନ କରାଯାଇଥିଲା, ଯେଉଁଠାରେ ରୁଷିଆ ସେନା ଅନେକ ଗାଁ ଉପରେ କବଜା କରିଛି।


ଏକ ସରକାରୀ ଗସ୍ତରେ ବ୍ରିଟେନ ଯାଉଥିବା ଡୋନାଲ୍ଡ ଟ୍ରମ୍ପ୍ ୱାଶିଂଟନରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଯୁଦ୍ଧ ସମାପ୍ତ କରିବା ପାଇଁ ଜେଲେନସ୍କିଙ୍କୁ ଆପୋଷ ବୁଝାମଣା କରିବାକୁ ପଡିବ, ଯଦିଓ ସେ କ'ଣ କହିବାକୁ ଚାହୁଁଥିଲେ ତାହା ସ୍ପଷ୍ଟ ଭାବରେ କହି ନଥିଲେ। ଆମେରିକା ରାଷ୍ଟ୍ରପତି ଯୁଦ୍ଧ ପାଇଁ ଉଭୟ ପକ୍ଷକୁ ଦାୟୀ କରିଛନ୍ତି। ଟ୍ରମ୍ପ୍ ଏହା ମଧ୍ୟ କହିଛନ୍ତି ଯେ, ୟୁରୋପ ରୁଷିଆରୁ ତେଲ କିଣିବା ବନ୍ଦ କରିବା ଉଚିତ୍।

ଟ୍ରମ୍ପ ପ୍ରଶାସନ ୟୁକ୍ରେନ ପାଇଁ ଆମେରିକାର ପ୍ରଥମ ଅସ୍ତ୍ରଶସ୍ତ୍ର ସହାୟତା ପ୍ୟାକେଜକୁ ଅନୁମୋଦନ କରିଛି, ଯାହା ଖୁବ୍ ଶୀଘ୍ର ପ୍ରଦାନ କରାଯାଇପାରେ। ୱାଶିଂଟନ କିଭକୁ ଅସ୍ତ୍ରଶସ୍ତ୍ର ପଠାଣ ପୁନଃ ଆରମ୍ଭ କରାଯାଉଛି। ସୂତ୍ର ଅନୁସାରେ ଏଥର ସହଯୋଗୀଙ୍କ ସହିତ ଏକ ନୂତନ ଆର୍ଥିକ ଚୁକ୍ତି ଅନୁଯାୟୀ ସହାୟତା ପଠାଯିବ।

ନାଟୋ ଦେଶଗୁଡ଼ିକରୁ ପ୍ରାପ୍ତ ପାଣ୍ଠି ବ୍ୟବହାର କରି ଆମେରିକୀୟ ଷ୍ଟକ୍‌ପାଇଲ୍‌ରୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ଆମେରିକା ଏବଂ ଏହାର ସହଯୋଗୀମାନଙ୍କ ଦ୍ୱାରା ବିକଶିତ ଏକ ନୂତନ ପ୍ରଣାଳୀର ଏହା ପ୍ରଥମ ବ୍ୟବହାର ହେବ।

ନୂତନ ବ୍ୟବସ୍ଥା ଅନୁଯାୟୀ ୫୦୦ ନିୟୁତ ଡଲାର ମୂଲ୍ୟର ଦୁଇଟି ପଠାଣକୁ ଅନୁମୋଦନ କରାଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଏପର୍ଯ୍ୟନ୍ତ, ଟ୍ରମ୍ପ ପ୍ରଶାସନ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିଛି କିମ୍ବା ଅନୁଦାନ ଭାବରେ ଦେଇଛି।