ୟୁକ୍ରେନ୍‌ ସୀମାରେ ରୁଷ୍‌ର ନୂଆ ସମରାଭ୍ୟାସ: ଆମେରିକା, ୟୁରୋପର ଚିନ୍ତା ବଢ଼ିଲା

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସବୁଠାରୁ ବଡ଼ ଯୁଦ୍ଧ ପ୍ରସ୍ତୁତି, ବାଲିଷ୍ଟିକ୍‌ ଏବଂ କ୍ରୁଜ୍‌ ମିସାଇଲ୍‌ ଛାଡ଼ିବ

ମସ୍କୋ : ୟୁକ୍ରେନ୍‌ ସୀମାରେ ପୁଣି ବିଶାଳ ସମରାଭ୍ୟାସ ପାଇଁ ରୁଷ୍‌ ଘୋଷଣା କରିଛି। ଏଥିରେ ପରମାଣୁ ସମାରାଭ୍ୟାସ ସମେତ ରୁଷ୍‌ ସେନାର ସମସ୍ତ ଅତ୍ୟାଧୁନିକ ୟୁନିଟ୍‌ର ସମରାଭ୍ୟାସ ଚାଲିବ ବୋଲି ‌କୁହାଯାଇଛି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଏହି ସମରାଭ୍ୟାସରେ ମିସାଇଲ୍‌ ଏବଂ କମାଣ୍ଡୋ ବାହିନୀ ମଧ୍ୟ ସାମିଲ ହେବେ। ନିଜେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ସମରାଭ୍ୟାସର ପରିଚାଳନା କରିବେ ବୋଲି ରୁଷ୍‌ ଘୋଷଣା କରିଛି। ଏହି ସମରାଭ୍ୟାସରେ ବାଲିଷ୍ଟିକ୍‌ ଏବଂ କ୍ରୁଜ୍‌ ମିସାଇଲ୍‌ର ପରୀକ୍ଷଣ ମଧ୍ୟ ହେବ ବୋଲି ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ପୁଟିନ ‘ ସମରାଭ୍ୟାସ ନିୟନ୍ତ୍ରଣ କକ୍ଷରୁ’ରୁ ବିଭିନ୍ନ କାର୍ଯ୍ୟ ତଦାରଖ କରିବେ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ କୌଣସି ରାଷ୍ଟ୍ର ଦ୍ବାରା ଏହା ସବୁଠାରୁ ବଡ଼ ସାମରିକ ପ୍ରସ୍ତୁତି ବୋଲି ଆମେରିକା କହିଛି ଏବଂ ଏନେଇ ନାଟୋ ରାଷ୍ଟ୍ର ସତର୍କ ରହିବାକୁ ଆମେରିକା କହିଛି। ରୁଷ୍‌ ଅଚାନକ ନିଜ ଆଭିମୁଖ୍ୟ ବଦଳାଇ ନୂଆ ସମରାଭ୍ୟାସ ଘୋଷଣା କରିବା ଦ୍ବାରା ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରମାନଙ୍କର ଚିନ୍ତା ବଢ଼ିଛି। ରୁଷ୍‌ ଆମେରିକା, ବ୍ରିଟେନ୍‌ ସମେତ ସମଗ୍ର ୟୁରୋପକୁ ଚାପରେ ରଖିବା ପାଇଁ ଏଭଳି ରଣନୀତି ଗ୍ରହଣ କରିଛି ବୋଲି କୂଟନୀତି ବିଶେଷଜ୍ଞମାନେ କହିଛନ୍ତି।

ରୁଷ୍‌ ୟୁକ୍ରେନ୍‌ ସୀମା ନିକଟରେ ସୈନ୍ୟ ସଂଖ୍ୟା ବଢ଼ାଇ ଚାଲିଛି ବୋଲି ଆମେରିକା ଲଗାତାର ଭାବେ ଦାବି କରୁଛି। ୟୁକ୍ରେନ୍‌ ନିକଟରେ ରୁଷ୍‌ ପ୍ରାୟ ୧୯୦,୦୦୦ ସୈନ୍ୟ ମୁତୟନ କରିଛି ବୋଲି ଆମେରିକା ଦାବି କରୁଛି। ଗତ ଜାନୁଆରି ୩୦ରେ ଏହି ସଂଖ୍ୟା ୧ ଲକ୍ଷ ଥିଲା। ଆମେରିକା କହିଛି, ରୁଷ୍‌ ୟୁକ୍ରେନ୍‌ ସୀମାରୁ ‌ସୈନ୍ୟ ପ୍ରତ୍ୟାହାର କରିଛି ବୋଲି କୌଣସି ପ୍ରମାଣ ନାହିଁ। ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ୍‌ ପୋଲାଣ୍ଡ୍‌ ଗସ୍ତ ସମୟରେ ଏହା କହିଛନ୍ତି। ଅଧିକରୁ ଅଧିକ ସେନା ୟୁକ୍ରେନ୍‌ ସୀମାରେ ମୁତୟନ ହେଉଛନ୍ତି ବୋଲି ଆମେରିକା କରିଛି। ଅନ୍ୟପକ୍ଷେ ରୁଷ୍‌-ୟୁକ୍ରେନ୍‌ ସଙ୍କଟ ସଂକ୍ରାନ୍ତରେ ଆଲୋଚନା ପାଇଁ ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ନାଟୋ ମୁଖ୍ୟଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ରୁଷ୍‌ର ଏଭଳି ଆକ୍ରମଣାତ୍ମକ ରଣନୀତି ୟୁକ୍ରେନ୍‌ରେ ଆତଙ୍କ ସୃଷ୍ଟି କରିଛି। ତେବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ୟୁକ୍ରେନ୍‌ ସାମରିକ ମୁଖପାତ୍ର କହିଛନ୍ତି।

ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଆଣିବା ପାଇଁ ୩ଟି ବିମାନ ଚାଲିବ
ନୂଆଦିଲ୍ଲୀ : ୟୁକ୍ରେନ୍‌ ସଙ୍କଟ ଦିନକୁ ଦିନ ଘନଉଥିବା ବେଳେ ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ତୁରନ୍ତ ଦେଶକୁ ଫେରାଇ ଆଣିବାପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଆସନ୍ତା ସପ୍ତାହରୁ ୟୁକ୍ରେନ୍‌ରୁ ଭାରତକୁ ୩ଟି ସ୍ବତନ୍ତ୍ର ବିମାନ ପରିଚାଳନା କରିବ ଏୟାର ଇଣ୍ଡିଆ। ଆସନ୍ତା ଫେବ୍ରୁଆରି ୨୨, ୨୪ ଏବଂ ୨୬ରେ ୩ଟି ବିମାନ ଭାରତ ଏବଂ ବ୍ରିଟେନ୍‌ ମଧ୍ୟରେ ଚାଲିବ। ବିମାନଗୁଡ଼ିକ ବୋରିସପିଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ିବ। ଏୟାର ଇଣ୍ଡିଆ ବୁକିଂ ଅଫିସ୍, ୱେବସାାଇଟ୍‌ ଏବଂ ‌କଲ୍‌ ସେଣ୍ଟର୍‌ ଦ୍ବାରା ଟିକେଟ ବୁକିଂ ହେବ। ଉଲ୍ଲେଖଯୋଗ୍ୟ, ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସ ଏହାର ନାଗରିକଙ୍କୁ ଆବଶ୍ୟକ ନଥିଲେ ଅସ୍ଥାୟୀ ଭା‌ବେ ୟୁକ୍ରେନ୍‌ ଛାଡ଼ିବାପାଇଁ ପରାମର୍ଶ ଦେଇଥିଲା । ମଙ୍ଗଳବାର ଦିନ ଦୂତାବାସ ଏକ ନିର୍ଦ୍ଦେଶାବଳି ଜାରି କରି ୟୁକ୍ରେନ୍‌ରେ ଥିବା ଭାରତୀୟମାନେ ସେମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ଦୂତାବାସକୁ ଅବଗତ କରିବାପାଇଁ କହିଥିଲେ। ତେବେ ୟୁକ୍ରେନରୁ ଭାରତକୁ ବିମାନ ନମିଳିବାରୁ ଭାରତୀୟ ଛାତ୍ରମାନେ ଦୂତାବାସଙ୍କୁ ଅବଗତ କରିଥିଲେ। ତୁରନ୍ତ ସେମାନଙ୍କୁ ଭାରତ ଫେରାଇାବାକୁ ଅଧିକ ବିମାନ ଚାଳନା ପାଇଁ ଯୋଜନା ହେଉଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର