ମସ୍କୋ: ଦୁଇ ମାସ ତଳେ କରିଥିବା କରୋନା ଭାଇରସ୍ ବା କୋଭିଡ୍-୧୯ ପ୍ରତିଷେଧକ ଟିକାର ମାନବ ପରୀକ୍ଷା ସଫଳ ହେବା ପରେ ମସ୍କୋର ଗାମାଲିଆ ପ୍ରତିଷ୍ଠାନ ଦ୍ୱାରା ବିକଶିତ ହୋଇଥିବା ଟିକାକୁ ଋଷିଆ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିୟାମକ ପକ୍ଷରୁ ଆଜି ଆନୁଷ୍ଠାନକ ଅନୁମୋଦନ ମିଳଛି। ଏଥିସହ ଏହି ଟୀକାକୁ ‘ସ୍ପୁଟ୍ନିକ ଭି’ ନାମରେ ନାମିତ କରାଯାଇଛି। ଉଲ୍ଲେଖଯୋଗ୍ୟ, ମହାକାଶ ଦୌଡ଼କୁ ନେଇ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ କାଳରେ ଋଷିଆର ଏକ ସାଟେଲାଇଟ୍ ‘ସ୍ପୁଟ୍ନିକ’ ନାମରେ ଏହାକୁ ନାମିତ କରାଯାଇଛି।
ଟିକାର ସଫଳତା ପରେ ଏହାକୁ ଆଜି ସର୍ବସାଧାରଣ କରାଯାଇଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ପ୍ରଥମ ଟିକା ରାଷ୍ଟ୍ରପତି ପୁଟିନ୍ଙ୍କ କନ୍ୟାକୁ ପ୍ରଦାନ କରାଯାଇଛି। ଏଥିସହ ଖୁବ୍ ଶୀଘ୍ର ଏହି ଟିକାର ବ୍ୟାବସାୟିକ ଉତ୍ପାଦନ ଆରମ୍ଭ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ପୁଟିନ୍।
/sambad/media/post_attachments/wp-content/uploads/2020/08/Covid.jpg)
ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖପାତ୍ର ତାରିକ ଜାସାରେଭିକ୍ କହିଛନ୍ତି ଯେ ଆମେ ଋଷିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କରେ ରହିଛୁ। ଏବଂ ଟିକାକରଣର ସମ୍ଭାବ୍ୟ ସଫଳତା ଓ ପ୍ରାକ୍ ଯୋଗ୍ୟତା ଉପରେ ଆଲୋଚନା ଜାରି ରଖିଛୁ। କାରଣ, ଟିକାକରଣର ଯୋଗ୍ୟତା, ଏହାର ସମସ୍ତ ନିରାପତ୍ତା ଏବଂ କାର୍ଯ୍ୟକାରିତା ତଥ୍ୟର ଗଭୀର ସମୀକ୍ଷା ଏବଂ ଏହାର ମୂଲ୍ୟାଙ୍କନ ଜେନେଭାରେ ଆୟୋଜିତ ହେବାକୁ ଜାତିସଂଘର ଏକ ସଂକ୍ଷିପ୍ତ ବୈଠକରେ ନିର୍ଦ୍ଧାରଣ କରାଯିବ।
ଋଷର ଆରଡିଏଫ୍ ମୁଖ୍ୟ କିରିଲ୍ ଡିମିଟ୍ରିଭ୍ କହିଛନ୍ତି କରୋନା ଭାଇରସ୍ ଟୀକା ‘ସ୍ପୁଟନିକ ଭି’ର ବ୍ୟାବସାୟିକ ଉତ୍ପାଦନ ଆସନ୍ତା ସେପ୍ଟେମ୍ବର ମାସରୁ ବିଧିବଦ୍ଧ ଭାବେ ଆରମ୍ଭ ହେବ। ତେବେ, ବର୍ତ୍ତମାନ ସୁଦ୍ଧା ବିଶ୍ୱର ୨୦ଟି ଦେଶ ଏହି ଟୀକାର ୧ ବିଲିୟନ ଡୋଜ ପାଇଁ ଅର୍ଡର କରି ସାରିଥିବା ସେ ସୂଚନା ଦେଇଛନ୍ତି।