ମୁଁ ଯୁଦ୍ଧ ଚାହୁଁନି, ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି : ପୁଟିନ୍

ମସ୍କୋ :  ୟୁକ୍ରେନ ସଂକଟକୁ ନେଇ ସମଗ୍ର ବିଶ୍ବ ଚିନ୍ତିତ ଥିବାବେଳେ ଏହି ସଂକଟର ସୁତ୍ରଧର କୁହାଯାଉଥିବା ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଗତ କିଛି ଦିନ ହେଲା ନୀରବ ଥିଲେ । ତାଙ୍କ ମନରେ କଣ ଚାଲୁଛି ତାହା ଉପରେ ସମସ୍ତଙ୍କ ନଜର ଥିଲା । ଆଜି ପୁଟିନ ମୁହଁ ଖୋଲିଛନ୍ତି । ଆଜି ଏକ ସଂକ୍ଷିପ୍ତ ପ୍ରେସ ବିଜ୍ଞପ୍ତି ଜାରି କରି ସେ କହିଛନ୍ତି ଯେ, ସେ ସେ ଯୁଦ୍ଧ ଚାହୁଁ ନାହାନ୍ତି । ୟୁକ୍ରେନ ପ୍ରସଙ୍ଗରେ ସେ ପାଶ୍ଚାତ୍ୟ ଦେଶ ଓ ନାଟୋ ସହ ଆଲୋଚନା କରିବାକୁ ରାଜି ।

ଜର୍ମାନ ଚ୍ୟାନସେଲର ଓଲାଫ ସ୍କୋଲଜଙ୍କ ଆଲୋଚନା ପରେ ପୁଟିନ ଏହି ବୟାନ ଜାରି କରିଛନ୍ତି । ଯୁଦ୍ଧ ଏଡ଼େଇବାକୁ ଓଲାଫ ପୁଟିନଙ୍କୁ  ପ୍ରବର୍ତ୍ତାଇବାରେ ସଫଳ ହୋଇଥିବା କୁହାଯାଉଛି ।  ମସ୍କୋ ଯିବା ପୂର୍ବରୁ ସେ କହିଥିଲେ ଯେ ଋଷିଆର ସୁରକ୍ଷା ଚିନ୍ତାଗୁଡ଼ିକ ସମ୍ପର୍କରେ ଆଲୋଚନା ପାଇଁ ପାଶ୍ଚାତ୍ୟ ଦେଶମାନେ ରାଜି ଅଛନ୍ତି । କିନ୍ତୁ ଏହା ସତ୍ତ୍ବେ ଯଦି ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ମସ୍କୋ ଉପରେ କଠୋର ଆର୍ଥିକ କଟକଣା ଲଗାଯିବ । ସୂଚନାଯୋଗ୍ୟ ଯେ, ୟୁକ୍ରେନ ସୀମାରେ ମୁତୟନ ହୋଇଥିବା କିଛି ଋଷୀୟ ସୈନ୍ୟ ନିଜ ନିଜ ବାରାକକୁ ଫେରିବା ଆରମ୍ଭ କରିଛନ୍ତି । ଏ ନେଇ ଖୋଦ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଘୋଷଣା କରିଛି । ଏହି ଘୋଷଣା ପରେ ଯୁଦ୍ଧ ଟଳିବା ନେଇ ଆଶା ସୃଷ୍ଟି ହୋଇଛି ।

 

ସମ୍ବନ୍ଧିତ ଖବର