ନୂଆଦିଲ୍ଲୀ: ଅଧିକ ଶୁଳ୍କ ପାଇଁ ଆମେରିକା ବଜାରର ଦ୍ବାର ବନ୍ଦ ହେଲେ ଆମେ ଅଛୁ। ଆମେରିକା ତୁଳନାରେ କମ ଶୁଳ୍କରେ ଆମେ ଜିନିଷ ନେବାକୁ ପ୍ରସ୍ତୁତ। ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏବେ ରୁଷ ଭାରତକୁ ଏହି ବଡ଼ ପ୍ରସ୍ତାବ ଦେଇଛି। ରୁଷ କହିଛି ଯେ, ଯଦି ଶୁଳ୍କ ଯୋଗୁଁ ଆମେରିକୀୟ ବଜାରର ଦ୍ୱାର ଭାରତୀୟ ସାମଗ୍ରୀ ପାଇଁ ବନ୍ଦ ହୋଇଯାଏ, ତେବେ ରୁଷ ବଜାର ସର୍ବଦା ଭାରତୀୟ ଉତ୍ପାଦଗୁଡ଼ିକୁ ଗ୍ରହଣ କରିବାକୁ ପ୍ରସ୍ତୁତ।
ଭାରତରେ ଥିବା ରୁଷ ଦୂତାବାସ ପକ୍ଷରୁ ଏକ ପ୍ରେସ ବ୍ରିଫିଂରେ ଏହି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ, ରୁଷରୁ ଅଶୋଧିତ ତେଲ କିଣୁଥିବାରୁ ଆମେରିକା ଏଭଳି ଭାରତ ଉପରେ ଶୁଳ୍କ ଚାପ ପକାଇବା ଅନୁଚିତ । ଆମେ ନିଶ୍ଚିତ ଯେ, ବାହ୍ୟ ଚାପ ସତ୍ତ୍ୱେ ଭାରତ-ରୁଷ ଶକ୍ତି ସହଯୋଗ ଜାରି ରହିବ। ଭାରତ ପାଇଁ ପରିସ୍ଥିତି ଚ୍ୟାଲେଞ୍ଜିଂ। କିନ୍ତୁ ଭାରତ ସହ ଥିବା ପାରସ୍ପରିକ ସମ୍ପର୍କ ଉପରେ ଆମର ବିଶ୍ୱାସ ଅଛି। ଯଦିଓ କାଳ୍ପନିକ ଭାବରେ ଭାରତ ରୁଷ ତେଲ କିଣିବା ବନ୍ଦ କରିଦିଏ, ତଥାପି ଏହା ଭାରତ ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟରେ ସମାନ ସହଯୋଗ ସୃଷ୍ଟି କରିପାରିବ ନାହିଁ। ପାଶ୍ଚାତ୍ୟ ଦେଶଗୁଡ଼ିକ ନିଜସ୍ୱ ଲାଭ ପାଇଁ କାମ କରନ୍ତି ଏବଂ ଏହା ଗତ କିଛି ବର୍ଷଗୁଡ଼ିକରେ ସ୍ପଷ୍ଟ ଭାବରେ ଦେଖାଯାଇଛି। ସେମାନେ ନିଜର ସ୍ୱାର୍ଥ ହାସଲ ପାଇଁ ନିଷ୍ପତ୍ତି ନିଅନ୍ତି ଏବଂ ଚାପ ପ୍ରୟୋଗ କରନ୍ତି, ଯାହା ସମ୍ପୂର୍ଣ୍ଣ ଭୁଲ।"
ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୨୫% ମୂଳ ଶୁଳ୍କ ଏବଂ ରୁଷରୁ ଅଶୋଧିତ ତୈଳ କ୍ରୟ ନେଇ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଛନ୍ତି। ଭାରତ ସରକାର ଏହି ଭାରୀ ଶୁଳ୍କକୁ ଅନୁଚିତ୍ ବୋଲି କହିଛନ୍ତି। ଏହି କାରଣରୁ, ଅଗଷ୍ଟ ୨୫ରେ ହେବାକୁ ଥିବା ଭାରତ-ଆମେରିକା ବାଣିଜ୍ୟ ଆଲୋଚନାକୁ ସ୍ଥଗିତ ରଖାଯାଇଛି।