ଜୟଶଙ୍କର ଜଣେ ପ୍ରକୃତ ଦେଶଭକ୍ତ : ରୁଷ

ନୂଆଦିଲ୍ଲୀ : ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଜଣେ ପ୍ରକୃତ ଦେଶଭକ୍ତ । କାରଣ ପାଶ୍ଚାତ୍ୟ ଶକ୍ତିଙ୍କ ଚାପ ଆଗରେ ସେ ମୁଣ୍ଡ ନୁଆଁଇ ନାହାନ୍ତି ଓ ନିଜ ଦେଶର ପାଇଁ ହିତକର ବୈଦେଶିକ ନୀତି ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ରୁଷର ବୈଦେଶିକ ବ୍ୟାପାର ମନ୍ତ୍ରୀ  ସର୍ଗେଇ ଲାଭରୋଭ ।

ଏକ ଭାରତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଲାଭରୋଭ କହିଛନ୍ତି ଯେ ପାଶ୍ଚାତ୍ୟ ଶକ୍ତିଙ୍କ ନିୟମିତ ଚାପ ସତ୍ତ୍ବେ ଜୟଶଙ୍କର କହିଥିଲେ ଯେ ଭାରତ ନିଜେ ନିଜର ବୈଦେଶିକ ନୀତି ସ୍ଥିର କରିବ ଓ ଭାରତ ନିଜର ସୁରକ୍ଷା ଓ ବିକାଶ ପାଇଁ ଆବଶ୍ୟକ ବୈଦେଶିକ ନୀତି ଗ୍ରହଣ କରିବ । ଅଧିକାଂଶ ଦେଶ ଏପରି କଥା ସ୍ପଷ୍ଟ ଭାବରେ କହି ପାରନ୍ତି ନାହିଁ ।

ଭାରତ ସହ ସମ୍ପର୍କ ବାବଦରେ ସେ କହିଛନ୍ତି ଯେ ଦୁଇ ଦେଶର ସମ୍ପର୍କ ବେଶ ପୁରୁଣା । ଏହାକୁ ଏକ ସ୍ବତନ୍ତ୍ର ରଣନୈତିକ ସମ୍ପର୍କ ବୋଲି ଭାରତ କହୁଛି । ଏହା ଦୁଇ ଦେଶର ଘନିଷ୍ଠ ସମ୍ପର୍କକୁ ଦର୍ଶାଉଛି ବୋଲି ଲାଭରୋଭ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରୁଷ ଦ୍ବାରା ୟୁକ୍ରେନ ଉପରେ ଆକ୍ରମଣକୁ ଭାରତ ନିନ୍ଦା କରୁ ବୋଲି ପାଶ୍ଚାତ୍ୟ ଦେଶମାନେ ଭାରତ ଉପରେ ବାରମ୍ବାର ଚାପ ପକାଉଥିବା ସତ୍ତ୍ବେ ଭାରତ ଏହା କରିନାହିଁ । ସେ୍ହିପରି ଜାତିସଂଘରେ ରୁଷ ବିରୋଧୀ ପ୍ରସ୍ତାବ ବେଳେ ଭାରତ ଭୋଟ ଦାନରୁ ବିରତ ରହିଥିଲା ।

 

 

ସମ୍ବନ୍ଧିତ ଖବର