ବିଶ୍ୱର ପ୍ରଥମ କରୋନା ଟିକା ପଞ୍ଜୀକରଣ କଲା ରୁଷିଆ

ମସ୍କୋ : ଋଷିଆ ବିଶ୍ୱର ପ୍ରଥମ କରୋନା ଟିକାର ପଂଜୀକରଣ କରିଛି ବୋଲି ଏହାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି । ଆଜି ଏକ ଟେଲିଭିଜନ ଭାଷଣ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି । ଏଥିସହ ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମ ଟିକା ଦିଆଯାଇଥିବା ସୂଚନା ରହିଛି।

ଏହି ଟିକାକୁ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଓ ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି । ଏହି ଟିକାକୁ ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ଦିଆଯିବ ।

ଗତ ଜୁନ ୧୮ରେ ଏହି ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା ଓ ୩୮ ଜଣ ସ୍ୱେଚ୍ଛାସେବୀଙ୍କୁ ଟିକା ଦିଆଯାଇଥିଲା । ସେମାନଙ୍କ ଶରୀରରେ କରୋନାକୁ ପ୍ରତିରୋଧ କରିବାକୁ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥିଲା । ପ୍ରଥମ ଗ୍ରୁପ ସ୍ୱେଚ୍ଛାସେବୀଙ୍କୁ ଜୁଲାଇ ୧୫ରେ ଓ ୨ୟ ଗ୍ରୁପକୁ ଜୁଲାଇ ୨୦ରେ ହସପିଟାଲରୁ ଛଡ଼ା ଯାଇଥିଲା । ତେବେ ରୁଷ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ କରାଯାଇନ‌ାହିଁ।  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଟିକା ପ୍ରସ୍ତୁତି ଲାଗି ପ୍ରଦତ୍ତ ଗାଇଡଲାଇନକୁ ରୁଷ ଅନୁସରଣ କରିନାହିଁ ବୋଲି କେତେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଋଷିଆ କରୋନା ଗବେଷଣା ଜ୍ଞାନକୌଶଳ ଚୋରିକରିଛି ବୋଲି ବ୍ରିଟେନ ଓ ଆମେରିକା ସମେତ କେତେକ ପାଶ୍ଚାତ୍ୟ ଦେଶ ଅଭିଯୋଗ କରୁଛନ୍ତି । ତେବେ ଋଷିଆ ସରକାର ଏହାକୁ ଖଣ୍ଡନ କରିଛନ୍ତି ।

ସମ୍ବନ୍ଧିତ ଖବର