ରୁଷିଆ ଜାରି କଲା ଉଦ୍‌ଜାନ ବୋମା ବିସ୍ଫୋରଣର ଗୋପନ ଭିଡିଓ

ମସ୍କୋ: ରୁଷୀୟ ଆଣବିକ ଶକ୍ତି ସଂସ୍ଥା ରୋଜାଟମ୍‌ ପକ୍ଷରୁ ଗତ ସପ୍ତାହରେ ଏକ ୪୦ ମିନିଟ୍‌ର ଅତ୍ୟନ୍ତ ଗୋପନ ଭିଡିଓକୁ ସାର୍ବଜନୀନ କରାଯାଇଛି। ଏହି ଭିଡିଓରେ ବିଶ୍ବର ସବୁଠୁ ଶକ୍ତିଶାଳୀ ଉଦ୍‌ଜାନ ବୋମାର ବିସ୍ଫୋରଣ ଚିତ୍ର ରହିଛି। ତିଜାର ବମ୍ବା ବା ତିଜାର ବୋମା ନାମରେ ପରିଚିତ ଏହି ବୋମାକୁ ୧୯୬୧ ମସିହା ଅକ୍ଟୋବର ୩୦ରେ ଉତ୍ତର ମେରୁ ମହାସାଗରର ନୋବାୟା ଜେମଲ୍ୟା ଦ୍ବୀପସମୂହରେ ବିସ୍ଫୋରିତ କରାଯାଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଜାପାନର ହିରୋସୀମାରେ ବିଭୀଷିକା ରଚାଇଥିବା ଆମେରିକୀୟ ପରମାଣୁ ବୋମା ‘ଫ୍ୟାଟ୍‌ ମ୍ୟାନ୍‌’ଠାରୁ ଏହା ୩,୩୩୩ ଗୁଣ ଶକ୍ତିଶାଳୀ ବୋଲି ଜଣାଯାଇଛି। ‘ସବୁଠୁ ଗୋପନୀୟ: ୫୦ ମେଗାଟନ୍‌ ଶକ୍ତି ସଂପନ୍ନ ଉଦ୍‌ଜାନ ବୋମାର ପରୀକ୍ଷଣ’ ଶୀର୍ଷକ ଏହି ଭିଡିଓରେ ଏହାର ନିର୍ମାଣ ଠାରୁ ଆରମ୍ଭ କରି ବିସ୍ଫୋରଣ ବେଳର ଯାବତୀୟ ଜୀବନ୍ତ ଛବି ରହିଛି।

ପୂର୍ବରୁ ଏହି ଐତିହାସିକ ବିସ୍ଫୋରଣ ସମ୍ପର୍କରେ ମିଳିଥିବା ଚିତ୍ର ସବୁ ଅସ୍ପଷ୍ଟ ଓ ଅପୂରଣୀୟ ରହିଥିଲା। ତେବେ ରୋଜାଟମ୍‌ ଛାଡ଼ିଥିବା ଏହି ବୃତ୍ତଚିତ୍ରରେ ୫୦ ନିୟୁତ ଟିଏନ୍‌ଟି ବିସ୍ଫୋରଣ ସମତୁଲ୍ୟ ବିଶ୍ବର ଏହି ସବୁଠୁ ଶକ୍ତିଶାଳୀ ଉଦ୍‌ଜାନ ବୋମା ସମ୍ପର୍କରେ ଅନେକ ପ୍ରତ୍ୟକ୍ଷଦର୍ଶୀ ଅନୁଭୂତି ଭରି ରହିଛି। ଆମେରିକା ସହ ଚାଲିଥିବା ଆଣବିକ ଶକ୍ତି ପ୍ରତିଯୋଗିତାର ଅଂଶବିଶେଷ ସୋଭିଏତ ସଂଘ ଏହାକୁ ନିର୍ମାଣ କରିଥିଲା। ତେବେ ଆମେରିକା ପ୍ରଥମ କରି ୧୯୪୫ ମସିହାରେ ପ୍ରଥମ ପରମାଣୁ ବୋମା ଟ୍ରିନିଟିର ପରୀକ୍ଷା କରିଥିବା ବେଳେ ଏହାର ୧୬ ବର୍ଷ ପରେ ସୋଭିଏତ ସଂଘ ବିଶ୍ବର ସର୍ବକାଳୀନ ସର୍ବାଧିକ ଧ୍ବଂସକାରୀ ଉଦ୍‌ଜାନ ବୋମାର ପରୀକ୍ଷା କରାଇଥିଲା। ଏହି ବୋମାକୁ ଏକ ଟିୟୁ-୯୫ ସୋଭିଏତ ଯୁଦ୍ଧ ବିମାନରେ ପରୀକ୍ଷଣ ସ୍ଥଳକୁ ନିଆଯାଇ ଏକ ଆକାଶଛତା ମାଧ୍ୟମରେ ଖସାଇ ଦିଆଯାଇଥିଲା। ବିସ୍ଫୋରଣ ସ୍ଥଳର ଠିକ୍‌ ୪,୦୦୦ ଫୁଟ ଉପରେ ଏହା ବିସ୍ଫୋରିତ ହେଲା ବେଳେ ଏକ ଉଜ୍ବଳ ଆଲୋକ ସହ ବିଶାଳ ଛତୁ ଆକାର ଧୂମ୍ରାଭ ମେଘମାଳା ସାରା ଆକାଶକୁ ଛାଇଯାଇଥିଲା।

ସମ୍ବନ୍ଧିତ ଖବର