ଶେଷ ହେଲା କ୍ରିମିଆରେ ଚାଲିଥିବା ଯୁଦ୍ଧାଭ୍ୟାସ, ଫେରୁଛନ୍ତି ସୈନ୍ୟ : ଋଷିଆ

ମସ୍କୋ : ୟୁକ୍ରେନ ସଂକଟ ଟଳିବାର ଆଶା ଆହୁରି ବୃଦ୍ଧି ପାଇଛି । ମଙ୍ଗଳବାରଦିନ ୟୁକ୍ରେନ ସୀମାରେ ମୁତୟନ ଥିବା କିଛି ଋଷୀୟ ସୈନ୍ୟ ନିଜ ନିଜ ବାରାକକୁ ଫେରିବା ପରେ ଆଜି ଋଷିଆ ପକ୍ଷରୁ ବୁଧବାରଦିନ କୁହାଯାଇଛି ଯେ କ୍ରିମିଆରେ ଚାଲିଥିବା ଯୁଦ୍ଧାଭ୍ୟାସ ଶେଷ ହୋଇଛି । ଏହି ଯୁଦ୍ଧାଭ୍ୟାସରେ ଭାଗ ନେଇଥିବା ସୈନ୍ୟମାନେ ଫେରିବା ଆରମ୍ଭ କରିଛନ୍ତି ।

କ୍ରିମିଆ ଉପଦ୍ବୀପ ପୂର୍ବରୁ ୟୁକ୍ରେନ ଅଧିନରେ ଥିବାବେଳେ ଋଷିଆ ୨୦୧୪ରେ ଏହାକୁ ବଳପୂର୍ବକ ଅଧିକାର କରିନେଇଥିଲା । ଏହି ଅଞ୍ଚଳ ୟୁକ୍ରେନର ଦକ୍ଷିଣରେ ଅବସ୍ଥିତ । ଏଣୁ ମଙ୍ଗଳବାର ୟୁକ୍ରେନର ପୂର୍ବ ସୀମାରୁ ଋଷିଆ ସେନା ପ୍ରତ୍ୟାହାର ପରେ ବୁଧବାର ଦକ୍ଷିଣରୁ ବି ସୈନ୍ୟ ପ୍ରତ୍ୟାହାର ହୋଇଛି । ଏହା ପରେ ପୂର୍ବ ୟୁରୋପରେ ଦେଖାଦେଇଥିବା ଯୁଦ୍ଧ ଆଶଙ୍କା ହଟିବାରେ ଲାଗିଛି । ସୈନ୍ୟମାନଙ୍କ ଏହି ଫେରିବା ଦୃଶ୍ୟ ବୁଧବାର ଋଷିଆର ଟିଭି ଚ୍ୟାନେଲଗୁଡ଼ିକରେ ପ୍ରସାରିତ ହୋଇଥିଲା ।

ସୈନ୍ୟ ପ୍ରତ୍ୟାହାର ଆରମ୍ଭ ହୋଇଯାଇଥିଲେ ବି ଯୁଦ୍ଧ ଆଶଙ୍କା ହ୍ରାସ ପାଇନାହିଁ ବୋଲି ଆମେରିକା ଓ ନାଟୋ ପକ୍ଷରୁ କୁହାଯାଇଛି ।  ଓ୍ବାସିଂଟନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ସୀମାରୁ କିଛି ଋଷୀୟ ସୈନ୍ୟ ଫେରିଥିଲେ ବି ଏବେ ବି ବିପୁଳ ସଂଖ୍ୟକ ସୈନ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଏଣୁ ବିପଦ ଟଳିନାହିଁ ।

ସମ୍ବନ୍ଧିତ ଖବର