ନୂଆଦିଲ୍ଲୀ: ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ମାନ୍ୟତା ଦେବା ଉପରେ ବିଚାର କରୁଛି ଋଷ। ଏ ସଂକ୍ରାନ୍ତରେ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍। ସେ ଆଜି ତାଙ୍କ ଦେଶର ସୁରକ୍ଷା ପରିଷଦର ସଦସ୍ୟମାନଙ୍କ ମତ ଜାଣିବା ପରେ ଏହି ଖବର ସାମ୍ନାକୁ ଆସିଛି। ତେବେ ଋଷର ଏହି ପଦକ୍ଷେପ ୟୁକ୍ରେନର ରାଜଧାନୀ କ୍ବିଭରେ କ୍ଷମତାରେ ଥିବା ପାଶ୍ଚାତ୍ୟ ସମର୍ଥିତ ସରକାରଙ୍କ ସହିତ ମୁକାବିଲାମୂଳକ ସ୍ଥିତି ଉତ୍ପନ୍ନ କରିବ। ଏହା ଯୁଦ୍ଧ ଆଡ଼କୁ ମଧ୍ୟ ଯାଇପାରେ। ତେଣେ ୟୁକ୍ରେନ୍ ସୀମାରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରସମୂହଙ୍କ ଆକଳନ ଅନୁସାରେ, ରୁଷ୍ ୧୫୦,୦୦୦ ସୈନିକ ମୁତୟନ କରିଛି।
ଋଷ ଉତ୍ତେଜନା କମ କରିବା ପାଇଁ ଯଥେଷ୍ଟ ଚେଷ୍ଟା କରିଛି। ଶାନ୍ତିପୂର୍ଣ୍ଣ ସ୍ଥିତି ବଜାୟ ରହୁ ବୋଲି ଉଦ୍ୟମ କରାଯାଉଛି। ଆମକୁ ନାଟୋ ଓ ଆମେରିକା ତରଫରୁ କୌଣସି ଗ୍ୟାରେଣ୍ଟି ଦରକାର ନାହିଁ। ସୁରକ୍ଷା ପରିଷଦ ସହ ବୈଠକ ସମୟରେ ପୁତିନ୍ ଏଭଳି କହିଛନ୍ତି ।
ପ୍ରକୃତରେ ଋଷ ଚାହୁଁ ନାହିଁ ଯେ ୟୁକ୍ରେନ୍ ନାଟୋରେ ସାମିଲ ହେଉ। ଋଷକୁ ଲାଗୁଛି, ଯଦି ଏପରି ହୁଏ ତେବେ ନାଟୋର ସୈନିକ ତାର ସୀମାର ନିକଟକୁ ଆସିଯିବେ। ଏବେ ଋଷ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା ଯଥେଷ୍ଟ ବଢିଯାଇଛି। ଆମେରିକା ସମେତ ପଶ୍ଚାତ୍ୟ ଦେଶଗୁଡିକ ଚିନ୍ତା ପ୍ରକଟ କରୁଛନ୍ତି ଯେ ଋଷ କୌଣସି ବି ସମୟରେ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ।
/sambad/media/post_attachments/wp-content/uploads/2022/02/Putin.png)
ଏହାପୂର୍ବରୁ ଋଷ ଦାବି କରିଥିଲା ଯେ ୟୁକ୍ରେନ୍ ଋଷ ସୀମାରେ ଗୁଳିଚାଳନା କରି କ୍ଷତି ପହଞ୍ଚାଇଛି। ଏକ ଆନ୍ତର୍ଜାତିକ ନ୍ୟୁଜ୍ ଏଜେନ୍ସି ଅନୁସାରେ, ଋଷ ସେନା ଏହା ବି ଦାବି କରିଛିଯେ ସୀମାରେ କ୍ଷତି ପହଞ୍ଚାଇଥିବା ୫ ୟୁକ୍ରେନ୍ ଅଧିବାସୀ ମୃତ୍ୟୁବରଣ କରିଛନ୍ତି। ତେବେ ୟୁକ୍ରେନ୍ ଆକ୍ରମଣ କରିନାହିଁ ବୋଲି କହିଛି।
୨୦୧୪ରେ ଋଷିଆ ୟୁକ୍ରେନର ସହର କ୍ରିମିଆ ଉପରେ ଆକ୍ରମଣ କରି ଏହାକୁ କବ୍ଜା କରିନେଇଥିଲା। କ୍ରିମିଆକୁ କବ୍ଜା କରିବା ପରେ ବି ସଂଘର୍ଷ ଜାରି ରହିଥିଲା। ୟୁକ୍ରେନର ଡୋନବାସର ଦୁଇଟି ଅଞ୍ଚଳ ଡୋନେସ୍କ ଓ ଲୁଗାନସ୍କକୁ ବିଛିନ୍ନତାବାଦୀମାନେ ଅଲଗା ଦେଶର ଘୋଷଣା କରିଦେଇଥିଲେ। ଡୋନେସ୍କ ଓ ଲୁଗାନସ୍କ ଏବେ ବି ଦୁଇଟି ଅଲଗା ଦେଶ ଭାବେ ଅଛନ୍ତି। ଏହି ଦୁଇଟି ଦେଶ ପୂର୍ବ ୟୁକ୍ରେନର ଅଂଶ ଅଛନ୍ତି।
ଡିସେମ୍ବର ୨୦୨୧ରେ ୟୁକ୍ରେନର ରାଷ୍ଟ୍ରପତି ନାଟୋରେ ମିଶିବା ପାଇଁ ଘୋଷଣା କରି ଦେଇଥିଲେ। ୟୁକ୍ରେନର ଏହି ନିଷ୍ପତ୍ତି ବିରୋଧରେ ଋଷ ଅସନ୍ତୁଷ୍ଟ ଅଛି। ସେ ଚାହୁଁ ନାହିଁ ଯେ ୟୁକ୍ରେନ୍ ନାଟୋରେ ମିଶୁ। ତେଣୁ ଋଷ ୟୁକ୍ରେନ୍ ଉପରେ ଚାପ ପକାଇବାକୁ ଚାହୁଁଛି। ଯଦି ଏହି ଦୁଇ ଅଞ୍ଚଳକୁ ଋଷ ସ୍ବାଧୀନ ଘୋଷଣା ଦିଏ ତେବେ ଋଷୀୟ ସେନା ୟୁକ୍ରେନ୍ ସୀମା ଭିତରକୁ ପ୍ରବେଶ କରିବେ। ଫଳରେ ଯୁଦ୍ଧ ଲାଗିଯିବା ଏକ ପ୍ରକାର ନିଶଚିତ।
ଆକ୍ରମଣ ସମୟରେ କେଉଁ ୟୁକ୍ରେନୀୟମାନଙ୍କୁ ହତ୍ୟା କରାଯିବ ଓ କେଉଁମାନଙ୍କୁ କ୍ୟାମ୍ପ୍କୁ ପଠାଯିବ ରୁଷ୍ ତା’ର ତାଲିକା ପ୍ରସ୍ତୁତ କରିସାରିଛି ବୋଲି ସୂଚନା ପାଇଥିବା କଥା ଜଣାଇ ଯୁକ୍ତରାଷ୍ଟ୍ର ଆମେରିକା ଜାତିସଂଘକୁ ସତର୍କ କରାଇଦେଇଛି।
ରବିବାର ଜାତିସଂଘର ମାନବ ଅଧିକାର ମୁଖ୍ୟଙ୍କ ନିକଟକୁ ଆସିଥିବା ଏକ ପତ୍ରରେ ୱାସିଂଟନ୍ କହିଛି ଯେ, ମାନବ ଅଧିକାର ଉପରେ ସମ୍ଭାବ୍ୟ ବିପତ୍ତି ଆଶଙ୍କା କରି ଯୁକ୍ତରାଷ୍ଟ୍ର ଆମେରିକା ଖୁବ୍ ଚିନ୍ତିତ।
ଏଥିରେ ଉଲ୍ଲେଖ ଅଛି ଯେ, ସାମରିକ ଅଧିକାର ପରେ ହତ୍ୟା କରାଯିବାକୁ ଅଥବା କ୍ୟାମ୍ପ୍କୁ ପଠାଯିବାକୁ ଥିବା ୟୁକ୍ରେନୀୟଙ୍କୁ ଚିହ୍ନଟ କରି ରୁଷୀୟ ସେନା ତାଲିକା ପ୍ରସ୍ତୁତି କରୁଛି ବୋଲି ଆମେରିକା ନିକଟରେ ବିଶ୍ବାସଯୋଗ୍ୟ ସୂଚନା ରହିଛି।